Odisha news

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଶ୍ରୀ ଅନିଲ କୁମାର ସିଂହ ଙ୍କ ଦାୟିତ୍ୱ ଗ୍ରହଣ

0

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ର ନୂତନ ନିର୍ଦ୍ଦେଶକ(ବାଣିଜ୍ୟିକ) ଭାବେ ଶ୍ରୀ ଅନିଲ କୁମାର ସିଂହ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ସିଂହ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଅନ୍ୟ ଏକ ଲୋକ ଉଦ୍ୟୋଗ, ହିନ୍ଦୁସ୍ତାନ କପର ଲିମିଟେଡ(ଏଚସିଏଲ) ରେ ମହାପ୍ରବନ୍ଧକ(ସାମଗ୍ରୀ ଏବଂ ଚୁକ୍ତି)ଏବଂ ମହାପ୍ରବନ୍ଧକ(ମାନବ ସମ୍ବଳ) ଅତିରିକ୍ତ ଦାୟିତ୍ତ୍ୱ ଭାବରେ କାର୍ୟ୍ୟ କରୁଥିଲେ।

ଶ୍ରୀ ସିଂହଙ୍କର ଧାତୁ ଶିଳ୍ପର ବାଣିଜ୍ୟିକ ବିଭାଗରେ ୩୫ ବର୍ଷରୁ ଅଧିକ ସମୟର ଅଭିଜ୍ଞତା ରହିଛି। ଶ୍ରୀ ଅନିଲ କୁମାର ସିଂହ ୧୯୯୦ ମସିହାରେ ବିଆଇଟି ସିନ୍ଦ୍ରିରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ସାମଗ୍ରୀ ପରିଚାଳନା କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ କାର୍ୟ୍ୟ କରିବା ନିମନ୍ତେ ଜିଡିଏମଏମ ଡିଗ୍ରୀ ସହ, ଏମବିଏ(ସାମଗ୍ରୀ ପରିଚାଳନା) ତଥା ପିଜିଡିସିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେ ବିଶାଖାପାଟଣାର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନଏଲ)ରେ ସାମଗ୍ରୀ ପରିଚାଳନା ବିଭାଗରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

ଶ୍ରୀ ସିଂହଙ୍କ ରଣନୈତିକ ଦୃଷ୍ଟିକୋଣ ଏବଂ ଶିଳ୍ପ ବିଶେଷଜ୍ଞତା ହିନ୍ଦୁସ୍ତାନ କପର ଲିମିଟେଡର ମହତ୍ୱାକାଂକ୍ଷୀ ସମ୍ପ୍ରସାରଣ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏଚସିଏଲରେ, ଶ୍ରୀ ସିଂହ କମ୍ପାନୀର ଉତ୍ପାଦ ମାର୍କେଟିଂ, ନୀତି ପ୍ରସ୍ତୁତି, ପ୍ରମୁଖ ସାମଗ୍ରୀ, ସେବା ଏବଂ କାର୍ୟ୍ୟ ଚୁକ୍ତିନାମା ରଣନୀତି ଏବଂ ପରିଚାଳନା, ଷ୍ଟୋରେଜ୍ ପରିଚାଳନା ଏବଂ କମ୍ପାନୀର ଉତ୍ପାଦର ଗୁଣବତ୍ତା ନିୟନ୍ତ୍ରଣ, ଯଥା କପର କନସେଣ୍ଟ୍ରେଟ୍ ପାଇଁ କାର୍ୟ୍ୟ କରିଛନ୍ତି।

ଶ୍ରୀ ସିଂହଙ୍କ ଆରଆଇଏନଏଲ ଏବଂ ଏଚସିଏଲରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି ସାମଗ୍ରୀ ପରିଚାଳନା ଏବଂ ମାର୍କେଟିଂରେ ଅଭିଜ୍ଞତା ହାସଲ କରିଛନ୍ତି। ଏହି ଦୁଇ ଉଦ୍ୟୋଗରେ ତାଙ୍କର ସେବା ସମୟରେ, ସେ ଫ୍ରଣ୍ଟଲାଇନ୍ ଅପରେସନ୍ ଏବଂ ନେତୃତ୍ୱ ଦିଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ତାଙ୍କର ବ୍ୟାପକ ବିଶେଷଜ୍ଞତା ସାମଗ୍ରୀ ପରିଚାଳନା, ଖଣି ନିମନ୍ତେ ଏମଡିଓ ଚୁକ୍ତିନାମା ଚୂଡ଼ାନ୍ତ କରିବା, ସଂଗଠନଗୁଡ଼ିକର କର୍ପୋରେଟ୍ କାର୍ୟ୍ୟାଳୟରେ ମାର୍କେଟିଂ ଏବଂ ଚୁକ୍ତିନାମା କାର୍ୟ୍ୟଗୁଡ଼ିକ ଅନ୍ତର୍ଭୁକ୍ତ। ସେ ଜେମ ମାଧ୍ୟମରେ ସର୍ବାଧିକ ସାମଗ୍ରୀ କ୍ରୟ ଏବଂ ଏମଏସଏମଇ ଲକ୍ଷ୍ୟ ପୂରଣ କରିବା ଏବଂ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ନୀତି ପ୍ରସ୍ତୁତ କରିବା ନିୟୋଜିତ ଥିଲେ।
ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂହଙ୍କୁ ଅଭିନନ୍ଦନ ଜଣାଇ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଥିଲେ ଯେ ଶ୍ରୀ ସିଂହଙ୍କ ଯୋଗଦାନ ନାଲକୋ ବୋର୍ଡକୁ ମଜବୁତ କରିବା ସହ ତାଙ୍କର ଅଭିଜ୍ଞତା କମ୍ପାନୀର ବାଣିଜ୍ୟିକ କାର୍ୟ୍ୟକୁ ଆହୁରି ସୁଦୃଢ଼ କରିବ।

Nalco
Leave A Reply