ଭୁବନେଶ୍ୱର(Suvendra pattanaik) : ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ଅତୁଳନୀୟ । ସେମାନଙ୍କ ସହଯୋଗ ଓ ସହଭାଗିତାରେ ବିଦ୍ୟାଳୟର ସମୃଦ୍ଧି ହେଉଛି । ବିଦ୍ୟାଳୟର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାଦାନରେ ପରିବର୍ତ୍ତନ ଆସିଛି । ସେମାନଙ୍କର ଏହି ନିଷ୍ଠାପର ସହଯୋଗ ଓ ତ୍ୟାଗ ବିଦ୍ୟାଳୟକୁ ଅଗ୍ରଗତି ଆଡକୁ ନେଉଛି । ଆଗାମୀ ଦିନରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟ ସହ ଯୋଡି଼ ହୋଇ ଏହାର ବିକାଶରେ ଯେପରି ନିଜକୁ ସାମିଲ କରିବେ ସେ ଦିଗରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶନିବାର ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ପ୍ରଥମ ପରିଚାଳନା ପରିଷଦ ବୈଠକରେ ପରିଷଦର ଅଧ୍ୟକ୍ଷ ମୁଖ୍ୟଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏହା ଉଲ୍ଲେଖ କରିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସଂଗଠନର ପ୍ରଥମ ଓ ଦ୍ୱିତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୁଇଟି ବୈଠକରେ ରାଜ୍ୟର ୨୫ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ଅନୁଦାନ ସହ ସରକାରଙ୍କ ଦୁଇଗୁଣା ଅନୁଦାନ ରାଶିକୁ ମିଶାଇ ମୋଟ ୨୬ କୋଟି ଟଙ୍କାରେ ୧୫୬୯ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଥିଲା । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସଂଗଠନ ଅଧୀନରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍ଶ୍ରୀ ବିଦ୍ୟାଳୟ ଗୁଡିକରେ ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତା ଉପରେ ଶିକ୍ଷା ଦିଆଯିବ । ଏଥିପାଇଁ ଜାତୀୟ ଆର୍ଥିକ ଶିକ୍ଷା କେନ୍ଦ୍ର (ଏନ୍ସିଏଫ୍ଇ) ସହ ପିଏସଏସର ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ବୈଠକରେ ଐତିହ୍ୟ ବିଦ୍ୟାଳୟ ଅଧୀନରେ ରାଜ୍ୟର ୫୧ଟି ସବୁଠାରୁ ପୁରାତନ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ଅନୁମୋଦନ ଦିଆଯାଇଛି । ଏହା ସହ ରାଜ୍ୟରେ ଚିହ୍ନଟ କରାଯାଇଥିବା କିଛି ବିଦ୍ୟାଳୟରେ ସିଏସଆର ଅର୍ଥରେ ମଧ୍ୟାହ୍ନଭୋଜନ ହଲ୍ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ଏହା ସହ ପରିଚାଳନା ପରିଷଦ ସଂଗଠନର ବାର୍ଷିକ ବ୍ୟୟକୁ ଅନୁମୋଦନ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା ଓ ଅଟକଳ ବ୍ୟୟକୁ ମଞ୍ଜୁର ଦେଇଛନ୍ତି ।
ବୈଠକରେ ଉପାଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ବିଦ୍ୟାଳୟ ବିକାଶରେ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ପରିଷଦର ସଦସ୍ୟ ସଂଯୋଜକ ତଥା ପଞ୍ଚସଖା ଶିକ୍ଷା ସେତୁର ସଦସ୍ୟ ସଚିବ ଶ୍ରୀମତୀ ଅନନ୍ୟା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଶିବାଶିଷ ଧଳ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୂଇଆଁ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବୀରେନ୍ଦ୍ର କୋରକୋରା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଟୁକୁ ବାରିକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ଶ୍ରୀ ଭିନୀତ ଭରଦ୍ୱାଜ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଭାସ୍କର ରାଇତୋ, କେନ୍ଦ୍ରାପଡ଼ାର ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର, ସୁନ୍ଦରଗଡ଼ର ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଦାଶ, ସ୍ୱତନ୍ତ୍ର କାର୍ଯକ୍ରମ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।