ମୁଖ୍ୟ ଶାସନ ସଚିବଙ୍କୁ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା : ଓଡ଼ିଶାରେବ୍ୟାଙ୍କର ଅଧିକ ଶାଖାଏବଂନୂଆ କ୍ଷେତ୍ରୀୟକାର୍ୟ୍ୟାଳୟ ସ୍ଥାପନ ସଂପର୍କରେ ପ୍ରସ୍ତାବ
ଭୁବନେଶ୍ୱର (Suvendra Pattanaik) : ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ରବି ମେହେରାସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେଶ୍ରୀ ମେହରା ମୁଖ୍ୟ ଶାସନ ସଚିବକୁ ଓଡିଶାରେ ଏହି ବ୍ୟାଙ୍କର ରହିଥିବା ସଂପ୍ରସାରଣ ଯୋଜନା ବିଷୟରେ ଅବଗତ କରାଇଥିଲେ ।
ଶ୍ରୀଯୁକ୍ତ ମେହେରା ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାରେ ପଞ୍ଜାବ ଓ ସିନ୍ଧ ବ୍ୟାଙ୍କ, ବ୍ୟାଙ୍କିଂ ସେବା ବୃଦ୍ଧି କରିବା ଲକ୍ଷ୍ୟ ରହିଥିବା ପ୍ରକାଶ କରି ଜଣାଇଥିଲେ ଯେ, ଓଡ଼ିଶାରେ ଏବେ ଏହି ବ୍ୟାଙ୍କର ବିଭିନ୍ନ ଜିଲ୍ଲାରେ ୩୦ଟି ଶାଖା କାର୍ୟ୍ୟକ୍ଷମ ରହିଛି ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟରେ ଏକ କ୍ଷେତ୍ରୀୟ କାର୍ୟ୍ୟାଳୟ(ଜୋନାଲ ଅଫିସ) ସହିତ ଆହୁରି ୨୦ ଟି ଶାଖା ଖୋଲାଯିବା ପାଇଁ ଯୋଜନା ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ବ୍ୟାଙ୍କରନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ଓଡିଶାର ଭୁବନେଶ୍ୱରରେ ଜୋନାଲ କାର୍ୟ୍ୟାଳୟ ସ୍ଥାପନ କରିବାକୁ ଅନୁମୋଦନ କରିଛନ୍ତି, ଯଦ୍ୱାରା ଓଡ଼ିଶାରେ ଏହି ବ୍ୟାଙ୍କଗୁଡ଼ିକର ପରିଚାଳନା , ଆର୍ଥିକ ସେବା ବୃଦ୍ଧି ଅଧିକ ପ୍ରଭାବୀ କରିବାରେ ସମର୍ଥ ହେବ ।
କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋଚନାରେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଏହି ବ୍ୟାଙ୍କ ଓଡ଼ିଶାର ବିଭିନ୍ନ ଯୋଜନାମୂଳକ କାର୍ୟ୍ୟକ୍ରମର କାର୍ୟ୍ୟକାରିତା ବିଶେଷ କରି କୃଷି, ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମଏସଏମଇ),ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ଉନ୍ନତି ଆଦିରେ ବ୍ୟାଙ୍କିଂ ସହଯୋଗ କରିଆସୁଛି ।ଆଗାମୀ ଦିନରେ ଏହି ସହଯୋଗ ଅଧିକ ସୁଦୃଢ ହେବ ବୋଲି ସେ ପ୍ରକାଶ କରିଥିଲେ। ଶ୍ରୀ ମେହେରା ମଧ୍ୟ ଓଡ଼ିଶା ସରକାରଙ୍କ “ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭” ଦୃଷ୍ଟିକୋଣକୁ ଲକ୍ଷ୍ୟ ହାସଲରେ ରାଜ୍ୟର ମିଶନକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ବ୍ୟାଙ୍କ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ।
ଓଡ଼ିଶାରେ ପଞ୍ଜାବ ଏବଂ ସିନ୍ଧବ୍ୟାଙ୍କର ନୂଆଶାଖା ଏବଂ ଜୋନାଲ କାର୍ୟ୍ୟାଳୟ ଖୋଲାଗଲେ ରାଜ୍ୟ ସରକାରଙ୍କ ତରଫରୁ ଏ ସଂପର୍କରେ ଆବଶ୍ୟକ ସହଯୋଗ ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।ଏହି ସାକ୍ଷାତ ଆଲୋଚନା ସମୟରେ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ, ବିଜୟଓ୍ୱାଡା ଜୋନର ଜୋନାଲ ମ୍ୟାନେଜର ଶ୍ରୀ ବିନୟ ଖଣ୍ଡେଲଓ୍ୱାଲ ମଧ୍ୟ ଉପସ୍ଥିତ ଥିଲେ ।