Odisha news

୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ବାସିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ : ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାରମାନଙ୍କୁ ସ୍ମରଣ କଲେ

0

ଭୁବନେଶ୍ବର: ୭୯ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନର କର୍ଣ୍ଣଧାରମାନଙ୍କୁ ବି ସ୍ମରଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଶ୍ଵର ଏକମାତ୍ର ସ୍ଵାଧୀନତା ଆନ୍ଦୋଳନ ଯାହା ମୁଖ୍ୟତଃ ଶାନ୍ତି ଓ ଅହିଂସା ମାଧ୍ୟମରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ, ବିଭିନ୍ନ ବିଚାରଧାରାର ବ୍ୟକ୍ତିତ୍ଵ ସମସ୍ତେ ଗୋଟିଏ ମଞ୍ଚରେ ଆସିଥିଲେ, ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା, ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ।  ଏ ଦେଶ, ମହାନ ସ୍ଵତନ୍ତ୍ରତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ୍ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର୍ ସାବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡଃ ବାବା ସାହେବ ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦଙ୍କ ତ୍ୟାଗ ଓ  ବଳିଦାନ ଆଗରେ ନତ ମସ୍ତକ। ମୁଁ ଏହି ମହାନ ବ୍ୟକ୍ତିତ୍ଵ ତଥା ଲକ୍ଷ ଲକ୍ଷ ନାମହୀନ, ପରିଚୟହୀନ ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ନେତୃବୃନ୍ଦଙ୍କ ଅକଳ୍ପନୀୟ ତ୍ୟାଗ, ସଂଘର୍ଷ ଓ ସଂଗ୍ରାମର ପରାକାଷ୍ଠା, ଓଡିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ସହିଦ୍ ମାଧୋ ସିଂହ, ଚକରା ବିଶୋଇ, ରେଣ୍ଡୋ ମାଝୀ, ମା’ ରମାଦେବୀ, ମା’ ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ  ମା’ ପାର୍ବତୀ ଗିରିଙ୍କ ପରି ମହାନୁଭବଙ୍କ ଅସୀମ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

୧୮୫୭ ମସିହାର ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଭାବେ ଅଭିହିତ କରାଯାଏ। କିନ୍ତୁ, ଏହି ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବେ ୧୮୧୭ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ, ଯାହା ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଥିଲା ଏକ ମାଇଲଖୁଣ୍ଟ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାଙ୍କ ପ୍ରତି ମୋର ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

Leave A Reply