ତିହିଡି, ୦୭/୦୮(ଯଦୁମଣି ପାଣିଗ୍ରାହୀ): ତିହିଡି ପୋଲିସ ପକ୍ଷରୁ ଆଜି ଏକ ଗୋରୁ ବୋଝେଇ ଗାଡିକୁ ଜବତ କରାଯିବା ସହିତ ଏଥିରେ ଥିବା ୧୬ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଆଜି ସକାଳେ ଚାନ୍ଦବାଲି ଆଡୁ ଭଦ୍ରକ ଅଭିମୁଖେ ଏକ ଗୋରୁ ବୋଝେଇ ଗାଡି ଆସୁଥିବା ପୋଲିସ କୌଣସି ସୂତ୍ରରୁ ଖବରପାଇ ତିହିଡି ଥାନା ଆଗକୁ ବ୍ଲକିଂ କରିଥିଲା । ପରେ ଗୋରୁ ବୋଝେଇ ପିକଅପ୍ ଗାଡି ନଂ-(ଓଡି୨୨ଏଲ-୬୯୯୨) ଥାନା ନିକଟରେ ପହଞ୍ଚିବା ପରେ ପୋଲିସ ଏହାକୁ କାବୁ କରିଥିଲା । ଏଥିରେ ଅତି ନୃଶଂସ ଭାବେ ୧୬ଟି ଗୋରୁଙ୍କୁ ନିଆଯାଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଏହି ଘଟଣାରେ ଏକ ମାମଲା ନଂ-୨୭୨/୨୫ ରୁଜୁ କରିବା ସହିତ ଗାଡିର ଡ୍ରାଇଭର ବାଂଶଡା ଥାନା ପରାମାନନ୍ଦପୁର ଗାଁର ଏସ.କେ ସବିର(୨୪)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେହିପରି ଉଦ୍ଧାର ହୋଇଥିବା ଗୋରୁଙ୍କୁ ମଇତାପୁରସ୍ଥିତ ଗୋଶାଳାକୁ ପଠାଯାଇଥିବା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି । ଏଠାରେ ସୂଚନାଥାଉ କି ଭଦ୍ରକ-ଚାନ୍ଦବାଲି ରାସ୍ତାରେ ସଂପ୍ରତି ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ସାଧାରଣରେ ଏଥିନେଇ ଉଦବେଗ ପ୍ରକାଶ ପାଇଛି ।