ନୁଆପଡ଼ା -୨୪/୨(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ଖୁଦପେଜ ପଞ୍ଚାୟତର ଖୁଦପେଜ ଗାଁ ରେ ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଭୀମସେନ ଶବରଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ ଖାନ, ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡ଼ିଓ ନରସିଂହ ଗଡବା,ସ୍ଥାନୀୟ ସରପଞ୍ଚ ଯଶୋଦା ଶତପଥୀ, ସମିତି ସଭ୍ୟ ଭାନୁମତୀ ମାଝୀ ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ lଏହି ପଞ୍ଚାୟତର ୪ ଗୋଟି ପରିବାର ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩୦୦ ଦିନରୁ ଅଧିକ ଶ୍ରମ ଦାନ କରି ଲକ୍ଷପତି ହୋଇଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଉପଢୌକନ ପୁଷ୍ପ ଗୁଚ୍ଛ ଓ ଉପହାର ଦେଇ କରତାଳି ମଧ୍ୟରେ ସମ୍ବର୍ଦ୍ଧିତ କରଯାଇଥିଲା l
ସଭାରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ , ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର , ଆର୍ ଟି ଓ ମାନ ସିଂ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିୟାର ସିଂହ, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ସମୀର ମୁଦୁଲି, ମିଶନ ଶକ୍ତି ଅଧିକାରୀ ସୁନିଲ୍ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଖୁଦପେଜ ଗାଁରୁ କେହି ଜଣେବି ପ୍ରବାସୀ ଶ୍ରମିକ ହିସାବରେ ଯାଇ ନଥିବା ଅତ୍ୟନ୍ତ ଆନନ୍ଦର କଥା । ନିଜ ଗାଁ ରେ ରହି ଶ୍ରମ ଦାନ କରି ବି ଏବେ ଜଣେ ଲକ୍ଷପତି ହୋଇ ପାରୁଛି। ଭଲ ପାଠ ପଢି ଏଇ ଗାଁ ରୁ ଦିନେ ଭବିଷ୍ୟତର ପ୍ରଶାସନିକ ଅଧିକାରୀ ବାହାରିବେ ବୋଲି ସେ ଆଶା ପୋଷଣ କରିଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସଭା ପରିଚାଳନା କରିଥିଲେ । ଶେଷରେ ସ୍ଥାନିୟ ସରପଂଚ ଯଶୋଦା ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ l ପୂର୍ବରୁ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଖୁଦପେଜ୍ ଗାଁ ର ନବଜାତକ ଶିଶୁ କନ୍ୟା ଦିବ୍ୟା କଟା, ପିତାମାତା ନରେଶ କଟା ଓ ବାଳିକା ଘିବେଲା ଘରକୁ ଅତିରିକ୍ତ ଜିଲ୍ଲାପାଳ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହିତ ଯାଇ ନବ ଜାତକକୁ କୋଳରେ ଧରି ତାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । କନ୍ୟାର ବାପା ମା ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ଏହାପରେ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଛ ଜଣ ଗର୍ଭବତୀ ମହିଳା ମାନଙ୍କୁ ଗୋଟିଏ ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଏମାନଙ୍କ ପରିବାର ଲୋକଙ୍କୁ ଗର୍ଭବତୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଗାଁ ବସ ଷ୍ଟପ୍ ପାଖରେ ଗୋଟିଏ ଅମୃତ ଧାରା ପାନୀୟ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ l
ଗାଁ ର ସଫା ସୁତୁରା ସୁନ୍ଦର ପରିବେଶ, ସାଂସ୍କୃତିକ ଜାଗରଣ, ଦାଦନ ଶ୍ରମିକ ମୂକ୍ତ ବସ୍ତି ଦେଖି ଅତିଥି ମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l ଆଜିର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖୁଦ ପେଜ ଗାଁ ଆନନ୍ଦ ମୁଖର ହୋଇଉଠିଥିଲା l