ନୁଆପଡ଼ା-୬/୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ବ୍ଲକ ଜାମପାଣି ପଞ୍ଚାୟତରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ସ୍ଥାନୀୟ ସରପଞ୍ଚ ହୀରା ସିଂ ରାଉତ ପ୍ରମୁଖ ଅତିଥି ହିସାବରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ବହୁମୁଖୀ ଯୋଜନା ସମ୍ବନ୍ଧରେ ଆଲୋକପାତ କରି ଥିଲେ l ସଭାରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ, ଲିଡ୍ ବ୍ୟାଙ୍କ୍ ମେନେଜର ସୀତାରାମ ମେହେର,କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ , ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା,ଜଳ ବିଭାଜିକା ଅଧିକାରୀ ସ୍ବୟଂ ପ୍ରଭା ସିଂ ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ l ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ କବିତା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ଵନ୍ଧରେ ସଚେତନ କରିଥିଲେ l ସୂଚନା ଯୋଗ୍ୟ ଯେ ଜିଲ୍ଲାରେ ସମସ୍ତ ଶ୍ରମିକଙ୍କୁ ବିଭିନ୍ନ ବିଭାଗରୁ କାମ ଯୋଗଦେବା ପାଇଁ ଜିଲ୍ଲାପାଳ ପଞ୍ଚାୟତି ରାଜ ତଥା ଲାଇନ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ତଦନୁଯାୟୀ ବର୍ତ୍ତମାନ ଜିଲ୍ଲାରେ ଅନେକ ଶ୍ରମ ଭିତ୍ତିକ ପ୍ରକଳ୍ପ କାମ ଆଗେଇ ଚାଲିଛି ତଥା ବ୍ୟାଙ୍କ ଜରିଆରେ ଅନେକ କୃଷକ ଏବଂ ଶ୍ରମିକ ପରିବାର ଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି l ପଞ୍ଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୯୦ ଦିନରୁ ଅଧିକ କାମ କରିଥିବାରୁ ସଭାରେ ଉମାବାଇ ମାଝୀ, କୈଳାଶ ବରିହା, ସୁରେଶ ସାହୁ, ସୀୟା ରାଣୀ ଯାଦବ, ଲଳିତା ଯାଦବ, ସୁନିଆ ବାଇ ସାହୁ ପ୍ରମୁଖ ଙ୍କୁ ଜିଲ୍ଲାପାଳ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରିଥିଲେ l ଏହି ଯୋଜନା ରେ ୩୦୦ ଦିନ କାମ କରି ଏକ ଲକ୍ଷ ପାଞ୍ଚ ହଜାର ଛଅ ଶହ ଟଙ୍କା ଲେଖାଏଁ ପାଇଥିବା ବୁଧରାମ ମାଝୀ, ଜଳଧର ମାଝୀ ଏବଂ ସାଧୁ ମାଝୀ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ lଜିଲ୍ଲାପାଳ ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଜିଲ୍ଲାର ପ୍ରତି ଶ୍ରମିକ ପରିବାର ଙ୍କୁ ୩୦୦ ଦିନର କାମ ସରକାର ଯୋଗାଇଦେବେ l ଏଥିରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ମିଳିବ l ଏହି କାମରୁ ଗାଁ ପାଇଁ ବନ୍ଧ ଘାଟ ପୋଖରୀ ରାସ୍ତା ଜଳ ବିଭାଜିକା ପ୍ରକଳ୍ପ ଇତ୍ୟାଦି ସମ୍ପଦ ମଧ୍ୟ ସୃଷ୍ଟି ହୋଇ ପାରିବ l ଏଠାରେ ମାଟି ସହ ଜଡ଼ିତ ରହି ନିଜ ମାଲିକ ନିଜେ ହେବା ଓ ଇଜ୍ଜତ ସହିତ ଜୀବନ ବଞ୍ଚିବା l ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ଶପଥ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ଆହ୍ବାନ ଦେଇଥିଲେ l
