ତିହିଡି,୨୬/୧୦(ଯଦୁମଣି ପାଣିଗ୍ରାହୀ): ବାତ୍ୟା ‘ଦାନା’ର ବିପଦ ଟଳି ଯାଇଥିବା ବେଳେ ଏହାର ପ୍ରଭାବ ଏଯାବତ ବଳବତ୍ତର ରହିଛି । ଏବେବି ବର୍ଷାପାଗ ଲାଗି ରହିଥିବା ବେଳେ ଝିପଝିପି ବର୍ଷା ମଧ୍ୟ ଜାରି ରହିଛିି । ବାତ୍ୟାଯୋଗୁଁ ହୋଇଥିବା ବର୍ଷା ପାଣି ଏବେବି ଚାଷ ଜମିକୁ ବୁଡାଇ ରଖିଥିବା ବେଳେ ସାଳନ୍ଦୀ ଓ ନାଳିଆ ନଦୀରେ ପାଣି ଦୁଇ କୂଳକୁ ଛୁଇଁ ପ୍ରବାହିତ ହେଉଛି । ଏପରିସ୍ଥିତିରେ ଯଦି ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ ତେବେ ଏସବୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇବା ସହିତ ବନ୍ୟା ପରିସ୍ଥିତି ସଷ୍ଟିି ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ଚାଷୀକୂଳ ଦୁଶ୍ଚିନ୍ତାରେ ଥିବା ବେଳେ ଆଜି ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି । ବାତ୍ୟା ‘ଦାନା’ର ପ୍ରଭାବରେ ତିହିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଗଛବୃଚ୍ଛ ଗୁଡିକ ଭାଙ୍ଗି ପଡିବା ସହ ରାସ୍ତାଘାଟକୁ ଅବରୋଧ କରିଥିଲା । ତେବେ ଓଡ୍ରାଫ ଟିମ, ଅଗ୍ନଶମ ବିଭାଗର କର୍ମଚାରୀ, ପୋଲିସ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର ସହାୟତାରେ ଏସବୁ ସଫା କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ବିଜୁଳିଘୁଣ୍ଟ ଗୁଡିକୁ ବିଜୁଳି ବିଭାଗର କର୍ମଚାରୀ ମାନେ ସଜାଡିବା ସହ ବିଜୁଳି ସରବରାହ ପର୍ଯ୍ୟାୟକ୍ରମେ ଚାଲୁ କରିଛନ୍ତି । ତେବେ ବାରୋ, ବିଲଣା, ବୋଡକ ଓ ତଳଗୋପବିନ୍ଧାରେ ବହୁ ଧାନ ଚାଷ ଜମି ଜଳମଗ୍ନ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଏବେବି ରାସ୍ତାଘାଟରେ ପାଣି ଜମି ରହିଥିବା ଜଣାଯାଇଛି । ସେହିପରି କାଁପଡା, ଶ୍ୟାମସୁନ୍ଦରପୁର, ବାରସର, ଗୋବିନ୍ଦପୁର, ଭାଟପଡା, ମୁକୁନ୍ଦପୁର ଆଦି ପଞ୍ଚାୟତରେ ଧାନଚାଷ ଜମି ଜଳମଗ୍ନ ରହିଛି । ବର୍ଷା ପବନ ଯୋଗୁଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ପନିପରିବା ଚାଷ ନଷ୍ଟ ହୋଇଛି । ଅନ୍ୟପକ୍ଷେ ପବନ ମାଡରେ ପେଟରେ ଥୋଡ ଆସିଥିବା ଓ ନ ଆସିଥିବା ଧାନ ଗଛ ଗୁଡିକ ପାଣିରେ ଶୋଇ ଯାଇଥିବାରୁ ଏସବୁ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏପରିସ୍ଥଳେ ଯଦି ଉପରମୁଣ୍ଡରେ ବର୍ଷା ହୁଏ ତେବେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ବ୍ଲକର ବିଭିନ୍ନ ତଳିଆ ପଞ୍ଚାୟତ ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଅତିରିକ୍ତ ଉନ୍ନୟନ ଅଧିକାରୀ କୁଶଳ ନାଏକ, ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋର୍ତିମୟ କର ପ୍ରମୁଖ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟାହ୍ନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସନ୍ଧ୍ୟାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ତ୍ରିଲୋଚନ ମାଝୀ ବ୍ଲକରେ ପହଞ୍ଚି ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବିପନ୍ନଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।