ତିହିଡି, ୨୧/୦୯(ଯଦୁମଣି ପାଣିଗ୍ରାହୀ): ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବର୍ଷା, ପବନରେ ତିହିଡି ତହସିଲ ଅନ୍ତର୍ଗତ ସୟା ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ବର୍ଷା, ପବନ ଯୋଗୁଁ ଶତାଧିକ ଗଛବୃଚ୍ଛ ସବୁ ଭାଙ୍ଗି ବାସଗୃହ ଉପରେ ପଡିବା ସହିତ ବିଜୁଳି ଖୁଣ୍ଟ ଉପୁଡି ପଡିଥିବା ଜଣାଯାଇଛି । ଏହି ପଞ୍ଚାୟତର ବାଲିଚତୁରୀ ଗାଁର ରମାକାନ୍ତ ମଳିକ, ପ୍ରମୋଦ ମଳିକ,ପଦ୍ମିନୀ ମଳିକ, ଦୁର୍ଯ୍ୟୋଧନ ମଳିକ, ଉଜ୍ଜ୍ୱଳ ମଳିକ, କରୁଣାକର ମଲ୍ଲିକ, ଦୁର୍ଗାଚରଣ ମଲ୍ଲିକ, କାର୍ତ୍ତିକ ମଲ୍ଲିକ ଓ ଟୁଟୁ ମଲ୍ଲିକଙ୍କ ଘର ଉପରେ ଗଛ ପଡି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ସେହିପରି ଏହି ଗାଁର ଦେବଦତ୍ତ ଦାସଙ୍କ ଘର ପବନରେ ସମ୍ପୂର୍ଣ୍ଣ ଉଡି ଯାଇଥିବା ବେଳେ କନକ ମଳିକ ଓ ନିର୍ମଳା ମଳିକଙ୍କ ଘର ବର୍ଷା ଯୋଗୁଁ ଭାଙ୍ଗିଯାଇଛି । ଅନ୍ୟପକ୍ଷେ ଡିଆଁସାହି ଗାଁର ମଧୁସୂଦନ ମଳିକଙ୍କ ଘର ଉପରେ ଗଛ ପଡି ତାଙ୍କ ଘର ଭାଙ୍ଗିଯାଇଛି । ଆଜି ତିହିଡି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ଭାଙ୍ଗି ପଡିଥିବା ଗଛ ଗୁଡିକୁ କାଟି ସଫା କରିଥିବା ବେଳେ ବିଜୁଳି ବିଭାଗର କର୍ମଚାରୀ ମାନେ ବିଜୁଳି ଖୁଣ୍ଟ ଗୁଡିକୁ ସଜାଡିଥିବା ଜଣାଯାଇଛି । ଆଜି ସକାଳେ ସୟା ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ରବିନ୍ଦ୍ର ଶତପଥି ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ସେହିପରି କୋହ୍ଲ ଆରଆଇ ବି ଘଟଣାସ୍ଥଳକୁ ଯାଇ ପରିସ୍ଥିତି ବୁଲି ଦେଖିଥିଲେ । କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
