ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ,ପୁରୁଷରେ ଭୁବନେଶ୍ବର ଟିମ୍ ଏବଂ ମହିଳାରେ ବୁଗୁଡା ଟିମ୍ ଚମ୍ପିଆନ୍
ବୁଗୁଡା : ତା ୨୭/୦୮/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଶ୍ରୀକର ଭଞ୍ଜ କ୍ରୀଡା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ତୃତୀୟ ଥର ପାଇଁ ଆୟୋଜିତ ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଦଳ ବାଲିପଦର ଦଳକୁ ୩୫-୩୪ ପଏଣ୍ଟରେ ପରାସ୍ତ କରି ଚମ୍ପିଆନ୍ ଟ୍ରଫି ହୋଇଥିଲା। ସେହିପରି ମହିଳା ବର୍ଗରେ ଭାଗ ନେଇଥିବା ୭ଟି ଦଳ ମଧ୍ୟରୁ ବୁଗୁଡା ଦଳ ୩୧-୨୭ ପଏଣ୍ଟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର ଦଳକୁ ହରାଇ ଚମ୍ପିଅନ୍ ହୋଇଥିଲା । ଫାଇନାଲ୍ ମ୍ୟାଚ ଗୁଡିକୁ ରେଫେରି ହରିହର ବିଶ୍ବାଳ, ଅମ୍ପାୟାର ଚନ୍ଦନ ପ୍ରଧାନ ଓ ଲିପୁନା ପ୍ରଧାନ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ତନିଷ୍କା ମନସ୍ବିନୀ ସାହୁ ଓ ଶିଶିର ଗୁରୁ ଏବଂ ଆସିଷ୍ଟାଣ୍ଟ ସ୍କୋରର ଭାବେ ଉର୍ମିଳା ସାହୁ ଓ ତାପସ କାଡ୍ରାକା ନିୟୋଜିତ ରହିଥିଲେ। ଉଭୟ ପୁରୁଷ ଓ ମହିଳା ବର୍ଗର ସଙ୍ଘର୍ଷପୂର୍ଣ୍ଣ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ ଗୁଡ଼ିକୁ ଦର୍ଶକୁ ଖୁବ୍ ଉପଭୋଗ କରିଥିଲେ। ଏହି ଦ୍ବିଦିବସୀୟ ଦିବାରାତ୍ର କବାଡି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ଓ ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ , ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗଙ୍ଗାଧର ନାୟକ , ବୁଗୁଡ଼ା ନଗର ବିଜେପି ସଭାପତି କେଦାର ନାଥ ମହାରଣା ଓ ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ଅତିଥିଙ୍କ ଦ୍ଵାରା ଉଭୟ ପୁରୁଷ ଓ ମହିଳା ବର୍ଗର ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କୃତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପିପୁଲ୍ସ କଲେଜର କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବାରେ ପରିଷଦ ସମ୍ପାଦକ ଅନିଲ କୁମାର ପଟ୍ଟନାୟକ ଓ ସହସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକଙ୍କ ସମେତ ଅନ୍ୟ ସଦସ୍ୟଗଣ ସକ୍ରିୟ ସହଯୋଗ କରିଥିଲେ ।