ବାଲିପାଟଣା : ଶ୍ରାବଣ ମାସ ଶେଷ ହେବାକୁ ଆଉ ଦିନ କେଇଟା ଅଛି, ଏପର୍ଯ୍ୟନ୍ତ ବେଣ୍ଟପୁର – ଟିଙ୍କିପଡା,୬ ନମ୍ବର ଡ୍ରେନଟି ପ୍ରବଳ କଲିକତି ଦଳ ଜାମ ହେବାରୁ ପାଣି ନିଷ୍କାସନ ହେଉନାହିଁ। ବେଣ୍ଟପୁର ଠାରୁ ଟିଙ୍କିପଡା ପ୍ରାୟ ୧୦ ରୁ ୧୧ କିଲୋମିଟର ଏହି ଡ୍ରେନଟି ପ୍ରବଳ ଘାସ ଓ କଲିକତି ଦଳ ଜାମ ହୋଇଯାଇଅଛି।ବାଲିପାଟଣା, କିଆଜୋରୀ, ଚଣାହଟ୍ଟ। ଓ ଡେଙ୍ଗ ଠାରେ ଥିବା ବ୍ରିଜ (ଶଙ୍ଖ) ରେ ଏହା ଲାଗିବାରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି।ଫଳରେ ଶହ ଶହ ଚାଷୀଙ୍କର ଧାନ ରୁଆ ବେଉଷଣ କାମ ସରିବାରେ ବହୁ ବିଳମ୍ବ ହେଉଛି। ବାରମ୍ୱାର ଶଙ୍ଖ ଜାମ ହେବାରୁ ବର୍ଷା ଜଳ ପ୍ରବାହିତ ହେବାରେ ବାଧା ସୃଷ୍ଟି ହେଉଛି। ଫଳରେ ଶହ ଶହ ଏକର ରୁଆଁ ଧାନ ପାଣିରେ ବୁଡି ରହିବାରୁ ତଳି ସବୁ ପଚିସଡି ନଷ୍ଟ ହୋଇଯାଉଛି।ଯାହାକୁ ନେଇ ଚାଷୀମାନେ ବାରମ୍ୱାର ଡ୍ରେନେଜ୍ ବିଭାଗକୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ।ବାଲିପାଟଣା ଓ ବାଲିଅନ୍ତା ଦୁଇ ବ୍ଲକର ପ୍ରାୟ ୮ହଜାର ଚାଷୀ ଏହି ଡ୍ରେନ ଉପରେ ନିର୍ଭର କରନ୍ତି।ବାଲିପାଟଣା , ଗାରେଡ଼ିପାଞ୍ଚଣ, ଚମ୍ପାବସ୍ତ,କୀଆଯୋରି, ସରାଟ,ବାଳଭଦ୍ରପୂର୍, ଚଣାହଟ୍ଟ।, ପମ୍ପାଲୋ, ଦରଡ଼ା, ଡେଙ୍ଗ, ଓ ଟିଙ୍କିପଡା, କୁଳନ୍ତିରା, ଓ ବେଲମରା ଅଞ୍ଚଳର ଚାଷୀ ଘନଶ୍ୟାମ ପଣ୍ଡା, କୈଳାଶ ଚନ୍ଦ୍ର ପଣ୍ଡା, ରମେଶ ଜେନା, ଅଭିମନ୍ୟୁ ବେହେରା, ପ୍ରସନ୍ନ ସ୍ବାଇଁ,ସଂଗ୍ରାମ କେଶରୀ ଦାସ, ରବୀନ୍ଦ୍ର ବେହେରା,ଦଇତାରୀ ସାହୂ, ବିଷ୍ଣୁ ଚରଣ ଦାଶ, ଅଭିମନ୍ୟୁ ନାୟକ, ବୁଟା ସେନାପତି ପ୍ରମୁଖ ଦାବି କରିଛନ୍ତି ଯେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ, ସବୁ ଚାଷୀ ରାଜ ରାସ୍ତାକୁ ଓହ୍ଲାଇବେ।
ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି,ବାଲିପାଟଣା ଅଞ୍ଚଳର ଚାଷୀମାନେ ମୋତେ, ୬ନମ୍ବର ଡ୍ରେନ ବିଷୟରେ ଜଣାଇଛନ୍ତି। ଏହି ମାସ ୧୫ ତାରିଖ ପରେ ଏକ ଦରଖାସ୍ତ ଲେଖିକରି ଦେଲେ ଖୁବ ଶୀଘ୍ର ସଫେଇ କାର୍ଯ୍ଯ ଆରମ୍ଭ ହେବ। କିନ୍ତୁ ରାଜ୍ୟ ତଥା କେନ୍ଦ୍ର ସରକାର କୃଷି ଓ କୃଷକର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ବର୍ଷା ଦିନ ବା ଚାଷ ଅବ୍ୟବହିତ ପୂର୍ବରୁ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ଚାଷୀମାନଙ୍କ ସହିତ ଜଡିତ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜର କାର୍ଯ୍ଯ ସଠିକ୍ ଭାବେ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଦ୍ରେନେଜ୍ ବିଭାଗ କାହିଁକି ହାତ ବାନ୍ଧି ବସି ରହିଥିଲା। ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେବା ପରେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁଛି।ନିଜ କାର୍ଯ୍ଯ ନିଜେ ନ ତୁଲାଇ, ଓଲଟି ଚାଷୀଙ୍କୁ ପୁଣି ଦରଖାସ୍ତ ଦାଖଲ କରିବାକୁ କହିବା କେତେ ଯୁକ୍ତିଯୁକ୍ତ, ତାହା ସାଧାରଣ ଜନତା କହିବେ।