ରାଜ୍ୟ ସ୍ତରୀୟ ଭାର ଉତ୍ତୋଳନ ଚାମ୍ପିଅନସିପ-୨୦୨୪ : ୪ କୃତୀ ପ୍ରତିଯୋଗୀ ପାଇଲେ ୪ଟି ସ୍ୱର୍ଣ୍ଣପଦକ ସମେତ ୧ଟି ରୌପ୍ୟ ଏବଂ ୧ଟି କାଂସ୍ୟପଦକ : ଛୁଟୁଛି ଶୁଭେଚ୍ଛାର ସୁଅ
ବେତନଟୀ : ରାଜ୍ୟସ୍ତରୀୟ ଭାରତ୍ତୋଳନ ଚାମ୍ପିଅନଶିପ୍-୨୦୨୪ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ବେଳେ ବେତନଟୀ ଥାନା ଅଧୀନ ଲଙ୍ଗଳକଟାସ୍ଥିତ ଶକ୍ତିମାନ ଜିମ୍ନାସିୟମର ୪ କୃତୀ ପ୍ରତିଯୋଗୀ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପୂର୍ବକ ୪ଟି ସ୍ୱର୍ଣ୍ଣପଦକ ସମେତ ଗୋଟିଏ ଲେଖାଏଁ ରୌପ୍ୟ ଏବଂ କାଂସ୍ୟପଦକ ହାସଲ କରି ସମଗ୍ର ବେତନଟୀ ଅଞ୍ଚଳ ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛନ୍ତି । ସୂଚନା ମୁତାବକ ବ୍ରହ୍ମପୁରସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଭାରତ୍ତୋଳନ ଚାମ୍ପିଅନଶିପ୍-୨୦୨୪ରେ ଲଙ୍ଗଳକଟା ସ୍ଥିତ ଶକ୍ତିମାନ ଜିମ୍ନାସିୟମର ସ୍ନେହା ସୋରେନ, ଦେବସ୍ମିତା ସିଂ, ହୀରାମଣି ମହାନ୍ତ ଏବଂ ଆଲିଶା ବେହେରାଙ୍କ ସମେତ ୧୦ଜଣ ପ୍ରତିଯୋଗୀ ଟିମ୍ ମ୍ୟାନେଜର ଅଭିଶେକ ମହାନ୍ତ ଏବଂ ଟିମ୍ କୋଚ୍ ଭାବରେ ରବୀନ୍ଦ୍ର ହାଁସଦା ପ୍ରତିଯୋଗୀଙ୍କ ସହିତ ବ୍ରହ୍ମପୁର ଯାତ୍ରା କରିଥିଲେ । ଆନ୍ତର୍ଜାତୀୟ ଭାରତ୍ତୋଳନକାରୀ ସ୍ନେହା ସୋରେନ ସିନିୟର ବିଭାଗର ୫୫କେଜି ବର୍ଗରେ ୮୩କେଜି ସ୍ନାଚ୍ ଏବଂ ୧୦୯ କେଜି ଦିନ ଏଣ୍ଡ ଜାର୍କ ଏହିପରି ମୋଟ ୧୯୨ କେଜି ଭାରତ୍ତୋଳନ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଅନୁରୂପ ଭାବେ ଦେବସ୍ମିତା ସିଂ ଜୁନିୟର, ୟୁଥ୍ ଏବଂ ସିନିୟର ବିଭାଗର ୪୯କେଜି ବର୍ଗରେ ଅଂଶଗ୍ରହଣ କରି ୫୧କେଜି ସ୍ନାଚ୍ ଏବଂ ୭୦କେଜି କ୍ଲିନ ଏଣ୍ଡ ଜାର୍କ ଏହିପରି ମୋଟ ୧୨୧କେଜି ଭାରତ୍ତୋଳନ କରି ୟୁଥ୍ ଏବଂ ଜୁନିୟରରେ ଦୁଇଟି ସ୍ବର୍ଣ୍ଣପଦକ ସମେତ ସିନିୟରରେ କାଂସ୍ୟପଦକ ହାସଲ କରିଛନ୍ତି । ହୀରାମଣି ମହାନ୍ତ ମଧ୍ୟ ୟୁଥ୍(ଯୁବ) ବିଭାଗର ୪୦କେଜି ବର୍ଗରେ ୩୯କେଜି ଜାର୍କ ଏବଂ ୪୭କେଜି କ୍ଲିନ ଏଣ୍ଡ ଜାର୍କ ଏହିପରି ମୋଟ ୮୬କେଜି ଭାରତ୍ତୋଳନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଆଲିଶା ବେହେରା ମଧ୍ୟ ଯୁବବିଭାଗର ୫୯କେଜି ବର୍ଗରେ ୬୫କେଜି ଜାର୍କ ଏବଂ ୭୯କେଜି କ୍ଲିନ ଏଣ୍ଡ ଜାର୍କ ଏହିପରି ମୋଟ ୧୪୪କେଜି ଭାରତ୍ତୋଳନ କରି ରୌପ୍ୟପଦକ ହାସଲ କରିଛନ୍ତି । ଶକ୍ତିମାନ ଜିମ୍ନାସିୟମର ପ୍ରତିଷ୍ଠାତା ତଥା କୋଚ୍ ପରେଶଚନ୍ଦ୍ର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଇଥିବା ଉପରୋକ୍ତ ୪ଜଣ ପ୍ରତିଯୋଗୀ ରାଜ୍ୟସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟପଦକ ହାସଲକରି ସମଗ୍ର ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଥିବାରୁ ପ୍ରଶିକ୍ଷକ ଶ୍ରୀ ମହାନ୍ତଙ୍କ ସମେତ କୃତୀ ପ୍ରତିଯୋଗୀଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।