ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗଡରାମାଳ ଗ୍ରାମ ର ଜଣେ ମହିଳା ଉଦନ୍ତୀ ନଦୀକୁ ଗାଧୋଇ ଯାଇଥିଲେ। ସେଠାରେ ଗାଧୋଉ ଥିବା ବେଳେ ତାଙ୍କ ଗୋଡ ଖସି ପଡ଼ିଥିଲା। ଯଦ୍ୱାରା ନଦୀର ମୁଖ୍ୟ ସ୍ରୋତରେ ସେ ପଡ଼ି ଯାଇଥିଲେ। ଫଲରେ ଭାଶି ଯାଉଥିବା ବେଳେ ନିଜେ ପ୍ରାଣବିକଳରେ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଜମି ରେ କୃଷି କାର୍ଯ୍ୟ କରୁଥିବା ଲୋକେ ଜାଣିପାରି ସିନାପାଲି ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ତୁରନ୍ତ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚିବା ବେଳକୁ ସେ ପ୍ରାୟ ତିନିକିଲୋମିଟର ଦୂର ଭାସି ଯାଇଥିଲେ। ଦମକଳ ବାହିନୀ ତୁରନ୍ତ ନଦୀ ଗର୍ଭରେ ପଶି ତାଙ୍କୁ ଉଦ୍ଧାର କରିଥିଲେ। ଗାଧୋଉଥିବା ନଦୀ ଘାଟ ରୁ ତିନି କିଲୋମିଟର ଦୂରରେ ଅନେକ ପରିଶ୍ରମ ପରେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ମହିଳା ଜଣକ ଗଡରାମାଲ ଗ୍ରାମର ନମିତା ସାହୁ ବୋଲି ଜଣାପଡ଼ିଛି। ମହିଳାଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବଭାବିକ ଥିବା ଜଣାପଡିଛି। ବର୍ତ୍ତମାନ ବର୍ଷାଋତୁରେ ନଦୀକୂଳିଆ ଲୋକ ଏଥି ପ୍ରତି ସଚେତନ ଓ ସଜାଗ ହେବାର ଆବଶ୍ୟକତା ଅଛି ବୋଲି ଆଲୋଚନା ହେଉଛି।