ଘଟଗାଁ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୋହନ ଚରଣ ମାଝୀ। ଏହି କ୍ରମରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମିନି ଷ୍ଟାଡିଅମରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ପ୍ରୋଟୋକଲ ଅନୁଯାୟୀ ଗାର୍ଡ ଅଫ ଅର୍ନର ଦିଆଯିବା ପରେ ଦଳୀୟ କର୍ମୀ ପାଛୋଟି ନେଇଥିଲେ ସେଠାରେ ପ୍ରାୟ ୨୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସେଠାରୁ ଏକ ମୋଟର ସାଇକେଲ ରାଲିରେ ମନ୍ଦିର ଅଭିମୁଖେ ଯାଇଥିଲେ। ବାଟରେ ଆଦିବାସୀ ନୃତ୍ୟ ଗୀତନାଚରେ ରାସ୍ତା ପ୍ରକମ୍ପିତ ହୋଇଥିଲା। ମନ୍ଦିରରେ ଦିନ ୧୨ଟାରେ ପହଞ୍ଚିବା ପରେ ପୂଜକ ପ୍ରଦୀପ ଦେହୁରୀ, ରବୀନ୍ଦ୍ର ଦେହୁରୀ, ଯଯାତି ଦେହୁରୀ ଓ ଶ୍ୟାମସୁନ୍ଦର ଦେହୁରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ, ଗୋତ୍ରରେ ନଡ଼ିଆ ଭୋଗ ଲାଗିକରିଥିଲେ। ତାଙ୍କ ସହ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ନାୟକ ଓ ତେଲକୋଇ ବିଧାୟକ ଫକୀର ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।