ଭଞ୍ଜନଗର,- ରାଜ୍ୟର ନୂଆଁ ନୂଆଁ ମେଡ଼ିକାଲ କଲେଜ ଖୋଲୁଛି। ଫଳରେ ପ୍ରତିବର୍ଷ ପୁର୍ବ ଅପେକ୍ଷା ଅଧିକ ନୂଆଁ ଡାକ୍ତର ବାହାରୁଛନ୍ତି। କିନ୍ତୁ ଯେତିକି ଡାକ୍ତର ବାହାରୁଛନ୍ତି ତାହା ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ରାଜ୍ୟରେ ଏବେବି ଅଧିକାଂଶ ମେଡ଼ିକାଲରେ ବହୁ ଡାକ୍ତର ପଦବୀ ଖାଲି ପଡିଛି। ଏହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି। ଏଠାରେ ୩୨ ଡାକ୍ତର ରହିବା ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୧୬ ଡାକ୍ତର ଅଛନ୍ତି। ଅନ୍ୟପଟେ ଏଠାରେ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଡ଼ାକ୍ତର ଏଠାରୁ ବ୍ରହ୍ମପୁରକୁ ଡେପୁଟେଶନରେ ଆଜକୁ ୫ ବର୍ଷ ହେବ ଯାଇଛନ୍ତି। ଅଧା ଡ଼ାକ୍ତରରେ ମେଡ଼ିକାଲ ଚାଲିବା ଯୋଗୁଁ ମେଡ଼ିକାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ମେଡ଼ିକାଲର ଗୁରୁତ୍ୱପୂର୍ଣ୍ଣ ୪ ବିଶେଷଜ୍ଞ ପଦବୀ ୫ ବର୍ଷରୁ ଉର୍ଦ୍ଧ ଦିନ ହେବ ଖାଲିପଡ଼ିଛି । ସେଗୁଡିକ ହେଲା ସର୍ଜରୀ, ଅସ୍ଥିଶଲ୍ୟ, ନିଶ୍ଚେତକ ଏବଂ ଚକ୍ଷୁ। ଏଥିସହ ପାଥୋଲୋଜି ବିଭାଗର ଡାକ୍ତର ପଦବୀ ମଧ୍ୟ ଆରମ୍ଭରୁ ଖାଲି ପଡିଛି। ଭଞ୍ଜନଗର ମେଡ଼ିକାଲକୁ ଆହତ ରୋଗିଟିଏ ଆସିଲେ ଅଧିକାଂଶ ସମୟ ଡାକ୍ତର ସଂମ୍ପୃକ୍ତ ରୋଗୀଙ୍କୁ ବ୍ରହ୍ମପୁର ପଠାଇ ଦେଉଛନ୍ତି। ସର୍ଜରୀ ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବା ଯୋଗୁ ଏହି ସମସ୍ୟା ଦେଖାଦେଇଛି। ସେହିଭଳି ନିଶ୍ଚେତକ ବିଶେଷଜ୍ଞ ପଦବୀ ଖାଲି ଥିବା ଯୋଗୁଁ ଏଠି କୌଣସି ଅପରେସନ ଆଉ ହୋଇପାରୁନାହିଁ। ଏହିଭଳି ନର୍ସ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡ଼ିଥିବା ଯୋଗୁଁ ମେଡ଼ିକାଲ ପରିଚାଳନାରେ ବ୍ୟାଘାତ ହେଉଛି। ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ଦାବୀ ଉଠାଉଛନ୍ତି କିନ୍ତୁ ଦାବୀ ପୂରଣ ହେବାକୁ ନାହିଁ। ଏହିଭଳି ପରିସ୍ଥିତିରେ ଶୁକ୍ରବାର ରାତିରେ ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ମେଡ଼ିକାଲକୁ ଅଚାନକ ଏକ ଦୁର୍ଘଟଣାରେ ଆହତ ମାନକୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ମେଡିକାଲ୍ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା ପରେ ମେଡିକାଲ୍ ଅଧିକ୍ଷକ ଙ୍କ ସହ ଏନେଇ ଆଲୋଚନା କରିଥିଲେ। ଏଥିସହ ସେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ସହ ମଧ୍ୟ ଫୋନ ରେ କଥା ହୋଇଥିଲେ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୧ ଟି ବିଭିନ୍ନ ମେଡ଼ିକାଲ ର ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିସହ ଖୁବ୍ ଶୀଘ୍ର ବିଧାୟକ ଓ ସି ଡି ଏମ୍ ଓ ମିଳିତ ଭାବେ ନିର୍ବାଚନ ମଣ୍ଡଳୀର ୧୧ ଟି ମେଡ଼ିକାଲର ଭିତ୍ତିଭୂମି ବୁଲି ଦେଖିବେ। ଏହାପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣେ ଅଧିକାରୀ ଏଠାରେ ସୁଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଭଞ୍ଜନଗର ମେଡ଼ିକାଲ ଉପରେ ଭଞ୍ଜନଗର ଉପଖଣ୍ଡର ୮ ଟି ବ୍ଲକ ଏବଂ ୫ ଟି ଏନ୍ ଏ ସି ସମେତ କନ୍ଧମାଳ ଜିଲାର ଜି ଉଦୟଗିରି, ଚକାପାଦ, ଟିକାବାଲି, ରାଇକିଆ, ନୟାଗଡ଼ ଜିଲ୍ଲାର ସିମାରେ ବସବାସ କରୁଥିବା ଲୋକେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭରଶୀଳ। ତେଣୁ ପ୍ରତ୍ୟେକ ଦିନ ବହୁ ଲୋକ ଭଞ୍ଜନଗର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସୁଛନ୍ତି। ମେଡ଼ିକାଲ ର ଭିତ୍ତିଭୂମି ୫ ଟି ମାଧ୍ୟମରେ ସୁଦୃଢ଼ ହୋଇଯାଇଛି କିନ୍ତୁ ଡାକ୍ତର ନାହିଁ। ଅନ୍ୟପଟେ କିଛିଦିନ ମଧ୍ୟରେ ଏଠାରେ ସିଟି ସ୍କାନ ବ୍ୟବସ୍ଥା ଆରମ୍ଭ ହେବ। ଗତ ସରକାର ସମୟରେ ଅର୍ଥ ଅନୁମୋଦନ ହୋଇଛି। ଏଥିସହ ପ୍ରାୟ ୧୬ କୋଟି ଟଙ୍କା ବ୍ୟୟରେ ନୂତନ ମାତୃ ଓ ଶିଶୁ ୱାର୍ଡ ଖୋଲିବ। ଏଥିପାଇଁ ବିଭାଗ ପକ୍ଷରୁ ମେଡିକାଲ୍ କୁ ଲାଗିଥିବା ବନ ବିଭାଗର ଏକ କୋଠା ନିଆଯାଇଛି। ଜମି ହସ୍ତାନ୍ତର କାଗଜ ପତ୍ର କାମ ସରିଲେ ସେଠାରେ କୋଠା କାମ ଆରମ୍ଭ ହେବ। ମେଡ଼ିକାଲ ର ଅନେକ କାମ ଏବେବି ବି ବାକି ଅଛି। ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ମେଡ଼ିକାଲ ର ଆହୁରି ଉନ୍ନତିକରଣ ହେବା ସହ ରୋଗୀ ସେବାରେ ସୁଧାର ଆସିପାରିବ। ଏଥିପ୍ରତି ସରକାର ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର