ଇଲେକ୍ଟ୍ରୋନିକ୍ସ ଓସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ବିଭାଗୀୟ କାର୍ୟ୍ୟ ସମୀକ୍ଷା
ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ଜନସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ
ଭୁବନେଶ୍ୱର ତା. ୨୦-୦୬-୨୦୨୪: ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍) ପ୍ରଥମ ମହଲା ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓକାକ୍ରମ ସିଇଓ ତଥା ଅତିରିକ୍ତ ଶାସନ ସଚିବ ମନୋଜ ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓକାକ୍ର ମହାପ୍ରବନ୍ଧକମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ଆଦିତ୍ୟ ମହାପାତ୍ର, ଯୁଗ୍ମ ସଚିବ ଜୟନ୍ତୀ ଦେଈଏବଂ ବିଭାଗର ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।
ସର୍ବପ୍ରଥମେ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ପୁଷ୍ପ ଗୁଚ୍ଛ ଦେଇ ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ପର୍ୟ୍ୟାୟକ୍ରମେ ବିଭାଗର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ମାନ୍ୟବର ମନ୍ତ୍ରୀଙ୍କୁଅବଗତ କରାଯାଇଥିଲା । ସରକାରୀ ସେବାଗୁଡ଼ିକୁ ବୈଷୟିକ ରୂପାନ୍ତରୀକରଣ ମାଧ୍ୟମରେ ଜନସାଧାରଣଙ୍କ ପାଖକୁ ପହଁଚାଇବା କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଭୂମିକା ବିଷୟରେ ମାନ୍ୟବର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନରେ ପରିଚାଳିତ ନିର୍ଦ୍ଦେଶାଳୟ ଯଥା ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍), ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଆଇଆଇଆଇଟି ଭୁବନେଶ୍ୱର ଏବଂ ଓକେସିଏଲ୍ରୂ ଭୂମିକା ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିଷୟ ଯଥା ଓଡ଼ିଶା ଷ୍ଟେଟ ଡାଟା ସେଣ୍ଟର, ଓଡ଼ିଶା ଷ୍ଟେଟ ଓ୍ୱାଇଡ୍ ଏରିଆ ନେଟଓ୍ୱାର୍କ, ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର, ଓଡ଼ିଶା ସଚିବାଳୟ ଆଇଟି ସେଣ୍ଟର, ଭାରତ ନେଟ୍, ଓଡ଼ିଶା ଷ୍ଟେଟ ଓ୍ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ(ଓସ୍ୱାସ), ଓଡ଼ିଶା ଓ୍ୱାନ ପୋର୍ଟାଲ, ଇ-ଡେସପାଚ୍, ସିଏମ ଡ୍ୟାସବୋର୍ଡ, ସ୍ୟାମସ୍, ଇ-ଡିଷ୍ଟ୍ରିକ୍ଟ ଏବଂ ଆଧାର ଏନରୋଲମେଣ୍ଟ ଆଦି ଅନେକ ବୈଷୟିକ ଆପ୍ଲିକେସନ ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନୂତନ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଥିଲେ ଯେ, ରାଜ୍ୟ ସରକାର ନିଜ ସଂକଳ୍ପ ପତ୍ର ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟର ସମୃଦ୍ଧି ନିମନ୍ତେ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିବେ । ଆମ ସରକାର ସାଧାରଣ ଲୋକଙ୍କ ସରକାର । ତେଣୁ, ସାଧାରଣ ଲୋକ କିପରି ଭାବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସୁବିଧା ପାଇପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ପ୍ରାଧାନ୍ୟ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ତୃଣମୂଳସ୍ତରରେ ସମସ୍ତ ଯୋଜନାକୁ କାର୍ୟ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟରେ କିପରି ଭାବେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଗଢ଼ି ଉଠିବ ଏବଂ ନିବେଶକମାନେ ଆମ ରାଜ୍ୟରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ତାହାକୁ ପ୍ରାଥମିକତା ଦେବାକୁ ପଡ଼ିବ । ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ଆହୁରି ଲୋକାଦୃତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ସହ ଅଧିକରୁ ଅଧିକ କର୍ମଶାଳା, ସମ୍ମିଳନୀ, ବୈଠକ ଏବଂ ଆଭାସୀ ମାଧ୍ୟମରେ ସାହିତ୍ୟଚର୍ଚ୍ଚା ଆଦିକୁ ପ୍ରାଧାନ୍ୟ ଦିଆଯିବ । ଏହାସହରାଜ୍ୟର ଗ୍ରାମୀଣ ଅଞ୍ଚଳରେ ମୋବାଇଲ ନେଟଓ୍ୱାର୍କ ଏବଂ ଇଣ୍ଟରନେଟ୍ ସୁବିଧାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ ।ସର୍ବଶେଷରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତଇ-ଗଭର୍ନାିନ୍ସ ମାଧ୍ୟମରେ ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ଜନସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।