କୋଲ୍କାତା: ଆଖିରେ ଲୁହ, ମନରେ କୋହ, ଦୁଇ ଧାଡ଼ିରେ ଛିଡ଼ା ହୋଇ ସାଥୀ ଖେଳାଳିଙ୍କ ଗାର୍ଡ ଅଫ୍ ଅନର ପ୍ରଦାନ; ପୁଣି ହାତଯୋଡ଼ି ହଜାର ହଜାର ପ୍ରଶଂସକଙ୍କ ଅଭିବାଦନ ଗ୍ରହଣ, ଏଭଳି ଏକ ଆବେଗଭରା ପରିବେଶରେ ଶେଷ ହୋଇଛି ଭାରତୀୟ ଫୁଟବଲ୍ର ଅନ୍ୟତମ ମହାନ ତାରକା, ଦକ୍ଷ ଅଧିନାୟକ ତଥା ବିଶ୍ବ ଫୁଟବଲ୍ର ଚତୁର୍ଥ ସର୍ବାଧିକ ଗୋଲ୍ ସ୍କୋରର୍ ସୁନୀଲ ଛେତ୍ରୀଙ୍କ ଜାଜ୍ଜ୍ବଲ୍ୟମାନ ଅନ୍ତର୍ଜାତୀୟ ଖେଳ ଜୀବନ। ପୂର୍ବ ଘୋଷଣା ଅନୁଯାୟୀ ଗୁରୁବାର କୋଲ୍କାତାସ୍ଥିତ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଫିଫା ବିଶ୍ବକପ୍ କ୍ବାଲିଫାୟର୍ସ ରାଉଣ୍ଡ-୨ର କୁଏତ ବିପକ୍ଷ ମ୍ୟାଚ୍ ଖେଳି ଫୁଟବଲ୍ରୁ ସନ୍ୟାସ ନେଇଛନ୍ତି ଭାରତୀୟ ଫୁଟବଲ୍ ଦଳର ଏହି ଚର୍ଚ୍ଚିତ ଓ ସଫଳତମ ଅଧିନାୟକ। ୧୯ ବର୍ଷ ପରେ ଛେତ୍ରୀ ଯୁଗର ଅବସାନ ଘଟିଛି। ଭାରତୀୟ ଫୁଟବଲ୍ ମହାସଂଘ ପକ୍ଷରୁ ଏହି ଅବସରରେ ତାଙ୍କୁ ସ୍ବତନ୍ତ୍ର ଭାବେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। କିଂବଦନ୍ତି ତାରକା ଛେତ୍ରୀ ଆଖି ଛଳଛଳ କରି ପଡ଼ିଆ ଛାଡ଼ିବା ବେଳେ ଅମ୍ପାୟାର, ଅଧିକାରୀ, ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ସହ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ ଯେମତି ଭାବବିହ୍ବଳ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ୩୯ ବର୍ଷୀୟ ଛେତ୍ରୀ ଭାରତ ପକ୍ଷରୁ ସର୍ବାଧିକ ୧୫୧ ମ୍ୟାଚ୍ ଖେଳି ୯୪ ଗୋଲ୍ କରିଛନ୍ତି। ବହୁବର୍ଷ ସେ ଭାରତୀୟ ଦଳ ଅଧିନାୟକ ଥିଲେ। ତାଙ୍କ ନେତୃତ୍ବରେ ଭାରତ ୧୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଜିତିଛି।
ବାଇଚୁଙ୍ଗ ଭୂତିଆଙ୍କ ପରେ ପାଖାପାଖି ଦୁଇ ଦଶନ୍ଧି ହେବ ଜାତୀୟ ଫୁଟବଲ୍ର ମୁଖା ଓ ପୋଷ୍ଟର୍ବୟ ପାଲଟିଥିବା କଂବଦନ୍ତି ଛେତ୍ରୀଙ୍କୁ କିନ୍ତୁ ଭାରତୀୟ ଦଳ ତାଙ୍କ ଶେଷ ମ୍ୟାଚ୍ରେ ବିଜୟ ଉପହାର ଦେଇ ପାରିନି। କୁଏତ ବିପକ୍ଷ ମ୍ୟାଚ୍କୁ ଅମୀମାଂସିତ ରଖିଛି। ମ୍ୟାଚ୍ ଶେଷ ହେବା ପରେ ୩୯ ବର୍ଷୀୟ ଛେତ୍ରୀ ଆଉ କୋହ ସମ୍ଭାଳି ପାରି ନଥିଲେ। ପଡ଼ିଆରେ ବସିପଡ଼ି ଢେର ସମୟ କାନ୍ଦିଥିଲେ। ପ୍ରଶଂସକମାନେ ମଧ୍ୟ ନିଜ ପ୍ରିୟ ତାରକାଙ୍କୁ ଲୁହଭରା ଆଖିରେ ବିଦାୟ ଦେଇଥିଲେ। ଦଳ ଜିତି ପାରି ନଥିଲେ ମଧ୍ୟ ଛେତ୍ରୀ ଗୁରୁବାରର ଏହି ପ୍ରତୀକ୍ଷିତ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିବା ସହ ଭାରତକୁ ଜିତାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ୨୦୦୨ରେ ପେସାଦାର ଫୁଟ୍ବଲ୍ରେ ପାଦ ଥାପିଥିବା ଛେତ୍ରୀ ୨୦୦୫ରେ ପାକିସ୍ତାନ ବିପକ୍ଷରେ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଭାରତ ପକ୍ଷରୁ ୧୫୧ ମ୍ୟାଚ୍ ଖେଳି ୯୪ ଗୋଲ୍ ଦେଇଛନ୍ତି। ଭାରତ ପକ୍ଷରୁ ଯାହା ସର୍ବାଧିକ। ସେ ମଧ୍ୟ ଭାରତ ପକ୍ଷରୁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ କରିଛନ୍ତି। ଛେତ୍ରୀ ୨୦୦୪ ମସିହା ମାର୍ଚ୍ଚ ୩୦ ତାରିଖରେ ଭାରତୀୟ ୨୦ ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରି ସେହି ପାକିସ୍ତାନ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ମୋହନ ବାଗାନ, ଇଷ୍ଟବେଙ୍ଗଲ, ଡେମ୍ପୋ, ଚିରାଗ ୟୁନାଇଟେଡ୍, ବେଙ୍ଗାଲୁରୁ ଏଫ୍ସି ଭଳି ଭାରତର ବହୁ ପ୍ରତିଷ୍ଠିତ କ୍ଲବ୍ ସହ କାନସାସ୍ ସିଟି ଭଳି ବିଦେଶୀ କ୍ଲବ୍ରୁ ଖେଳି ଗୌରବ ହାସଲ କରିଛନ୍ତି ସେ। ମାନସିକ ଶାନ୍ତି ସହ ପରିବାର ସହ ଅଧିକ ସମୟ କଟାଇବା ପାଇଁ ସେ ଅବସର ନିଷ୍ପତ୍ତି ନେଇଛନ୍ତି ବୋଲି ଛେତ୍ରୀ କହିଥିଲେ।