ତିହିଡି,୨୧/୦୫(ଯଦୁମଣି ପାଣିଗ୍ରାହୀ): ଶେଷରେ ସବୁ ଆଶା ଅକାଂକ୍ଷାର ଅନ୍ତ ଘଟାଇ ଚାନ୍ଦବାଲି ବ୍ଲକ ନୂଆ ଗାଁ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ତଥା ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ମହାପାତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି । ବିଧାୟକଙ୍କ ଦୃଢ ସମର୍ଥକ ତଥା ଚାନ୍ଦବାଲି ଅଞ୍ଚଳରେ ଜଣେ ଦକ୍ଷ ସଙ୍ଗଠକ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ବିଜେପିରେ ସାମିଲ ହେବାକୁ ଗତ କିଛି ଦିନ ପୂର୍ବରୁ ଉଚ୍ଛାପ୍ରକଟ କରିଥିଲେ । ତେବେ ଏକଥା ଜାଣିବା ପରେ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ତାଙ୍କର ସମର୍ଥକ ମାନେ ଏଥିରେ ରୋକ ଲଗାଇବାକୁ ଉଦ୍ୟମ କରିଥିଲେ । ତେବେ ବିଜେଡିର ସବୁ ବାଧାବନ୍ଧନକୁ ଛିଡାଇ ଶ୍ରୀ ମହାପାତ୍ର ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପ୍ରାକ୍ତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣପର୍ବରେ ବିଜେପି ନେତା ଅଜୟ ରାଉତ, ରାମଚନ୍ଦ୍ର ଦାସ ଓ ସୁକାନ୍ତ ବଳ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ନିର୍ବାଚନ ଯେତେ ପାଖେଇ ଆସୁଛି ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାଜନୀତି ସେତେ ବେଶୀ ସରଗରମ ହେବାରେ ଲାଗିଛି । ଚାନ୍ଦବାଲିରେ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବ୍ୟୋମକେଶ ରାୟ ଏଥର ବି ଏଠାରୁ ବିଧାୟକ ହେବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଥିଲେ । ତେବେ ତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବିଜେପିର ରାଜ୍ୟ ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ ଏଥର ଶ୍ରୀ ରାୟଙ୍କ ସବୁ ଅଙ୍କକୁ ଭୁଲ କରିଦେବା ଲକ୍ଷ୍ୟରେ ରଣକୌଶଳ ଆରମ୍ଭ କରି ଦେଇଛନ୍ତି । ବିଭିନ୍ନ ଅଞ୍ଚଳରେ ବିଜେଡିର ନେତା ଓ ସଙ୍ଗଠକ ମାନଙ୍କୁ ବିଜେପିରେ ସାମିଲ କରାଇ ଦଳକୁ ମଜବୁତ କରିବାରେ ଲାଗି ପଡିଛନ୍ତି । ସୁତରାଂ ଏଥର ଚାନ୍ଦବାଲିରେ ଖେଳ କିଛି ଅଲଗା ହୋଇପାରେ ବୋଇି ରାଜନୈତିକ ବିଶାରଦ ମାନେ ମତବ୍ୟକ୍ତ କରିଛନ୍ତି ।