ତିହିଡି,୨୦ା୦୫(ଯଦୁମଣି ପାଣିଗ୍ରାହୀ): ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନ ତିହିଡ଼ି ବ୍ଲକ ଐଶାନ୍ୟଚଣ୍ଡୀ ମଣ୍ଡଳ ତରଫରୁ ଏକ ବିଶାଳ ମାତୃ ଆଶୀର୍ବାଦ ସମ୍ମିଳନୀ ବୋଡ଼କ ବଜାରରେ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ବ୍ଲକର ୧୩ ପଞ୍ଚାୟତରୁ ତିନି ହଜାରରୁ ଉଦ୍ଧ୍ୱର୍ ମହିଳା ଯୋଗଦେଇଥିଲେ । ରାଜ୍ୟରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ହେଲେ ମା’ମାନଙ୍କର ଅବସ୍ଥାର ପରିବର୍ତ୍ତନ ହେବ । ଶାସକ ଦଳ ଯେଉଁ ମହିଳା ସଶକ୍ତୀକରଣ କଥା କହୁଛି ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ଗ୍ରୁପ ଋଣ ପାଇଁ ଗଲେ ଲାଞ୍ଚଦେବାକୁ ହେଉଛି । ମହିଳାମାନଙ୍କୁ ଧମକ ଚମକ ତଥା ବିଭିନ୍ନ ଲୋଭ ଦେଖାଇ ଆଗ୍ରହ ନଥିଲେ ବି ବିଜେଡି ସଭାକୁ ଅଣାଯାଉଛି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଓଡ଼ିଶାର ଯୁବକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ରାଜ୍ୟରେ ଏକ ନିକମ୍ମା ସରକାର ଶାସନ କରୁଛି ବୋଲି ବିଧାୟକ ତଥା ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ । ଏହି ସଭାରେ ଭୋପାଳରୁ ଆସିଥିବା ବିଧାୟକ ରାମେଶ୍ୱର ଶର୍ମା ନିଜ ବକ୍ତବ୍ୟରେ ରାଜ୍ୟରେ ଗତ ୨୫ ବର୍ଷ ଭିତରେ କୌଣସି ପ୍ରକାର ଉନ୍ନତି ହୋଇନାହିଁ ବୋଲି କହିବା ସହ ଦୁଇଟି ଯାକ ଭୋଟ ପଦ୍ମଫୁଲରେ ଦେଇ ସାଂସଦ ପ୍ରାର୍ଥୀ ଅଭିମନୁ୍ୟ ସେଠୀ ଓ ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜକୁ ବିଜୟ କଲେ ଦେଶ ସହ ତାଳ ଦେଇ ରାଜ୍ୟରେ ଉନ୍ନତି ହେବ ବୋଲି କହିଥିଲେ । ମଣ୍ଡଳ ସଭାପତି ପ୍ରମୋଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାର ଜିଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ବରିଷ୍ଠ ନେତା ଅଜୟ ନାୟକ, ରଘୁନାଥ ଲେଙ୍କା, ନାରାୟଣ ସାହୁ, ଦେବେନ୍ଦ୍ର ପୁହାଣ, କାଁପଡ଼ା ସରପଞ୍ଚକୁନ୍ତଳା ମଲିକ, ଉଷାକାନ୍ତ ନାୟକ, ଅଶୋକ ପୁହାଣ, ବୁଦ୍ଧଦେବ ଜେନା, ସଂଜିବ ବେହେରା, ଅଶୋକ ପୁହାଣ, ଜୀବନ ନାୟକ ଓ ଶରତ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ ।