Odisha news

ଚାନ୍ଦବାଲିରୁ ଏଥର ନିଶ୍ଚିତ ବିଜୟ ଲକ୍ଷ୍ୟରେ ମନମୋହନ

0

ତିହିଡି,୨୦/୦୫(ଯଦୁମଣି ପାଣିଗ୍ରାହୀ): ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏତର ନିଶ୍ଚିତ ବିଜୟ ଲକ୍ଷ୍ୟରେ ଅଛନ୍ତି । ଆଉ ଏଥିପାଇଁ ସେ ଧୀରେ ଧୀରେ ବିଜେପି ସଙ୍ଗଠନକୁ ମଜବୁତ କରିବାରେ ଲାଗି ପଡିଛନ୍ତି । ତାଙ୍କ ପ୍ରତି ଜନ ସମର୍ଥନ ବି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀ ସାମଲଙ୍କ ବିପକ୍ଷରେ ଏଥର ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ପୁଣିଥରେ ଓ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେଣୁ ଏଠାରେ ତ୍ରିମୁଖୀ ଲଢେଇ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଗତ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଏଥର ମନମୋହନ ସାମଲ ଏଥିରେ ଚେକ୍ ଦେବାକୁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଶ୍ରୀ ସାମଲ ଇତି ମଧ୍ୟରେ ଧାମରା ଠାରୁ ପୁଣି ଆରଡି ଯାଏଁ ବିଜେପି ସଙ୍ଗଠନକୁ ବେଶ ସୁଦୃଢ କରିବାକୁ ସକ୍ଷମ ହୋଇଥିବା ବେଳେ ଚାନ୍ଦବାଲି ଇଲାକାରେ ଲୋକଙ୍କୁ ପ୍ରଭାବିତ କରି ନିଜ ସପକ୍ଷକୁ ଆଣିବାରେ ସଫଳ ହେଉଛନ୍ତି । ବିଭିନ୍ନ ସ୍ଥାନରେ ସଭାସମିତି, ମିଶ୍ରଣ ପର୍ବ ଓ ଶୋଭାଯାତ୍ରା ଆଦିର ଆୟୋଜନ କରାଇ ଶ୍ରୀ ସାମଲ ନିଜର ସ୍ଥିତିକୁ ବେଶ ମଜବୁତ କରିବାରେ ଲାଗିଛନ୍ତି । ଏବେ ସମଗ୍ର ରାଜ୍ୟରେ ବିଜେପିର ସ୍ଥିତି ଦିନକୁଦିନ ମଜବୁତ ହେଉଥିବା ବେଳେ ଅନୁରୂପ ଭାବେ ଚାନ୍ଦବାଲିରେ ମଧ୍ୟ ଏହା ବଳ ଗୋଟାଇବାରେ ସମର୍ଥ ହୋଇଛି । ବିଶେଷକରି ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ୯ ପଞ୍ଚାୟତରେ ନିଜର ସ୍ଥିତିକୁ ଶ୍ରୀ ସାମଲ ସୁଦୃଢ କରିବାରେ ଲାଗି ପଡିଛନ୍ତି । ଦଳର ସମର୍ଥକଙ୍କ ମଧ୍ୟରେ ଥିବା ମାନ ମନାନ୍ତରକୁ ସମାଧାନ କରାଇ ସମସ୍ତଙ୍କୁ ଏକଜୁଟ କରିବାରେ ଶ୍ରୀ ସାମଲ ସଫଳ ହୋଇଛନ୍ତି । ନିକଟରେ ପୀରହାଟ ଠାରେ ଏକ ବିଶାଳ କର୍ମୀ ସମାବେଶ କରାଇ ବିଜେଡିର ନିଦ ହଜାଇ ଦେଇଥିବା ବେଳେ, ଧାମରା, କଇଥକୋଲା ଓ ଆରଡି ଆଦି ବିଭିନ୍ନ ଅଞ୍ଚଳର ଟାଣୁଆ ନେତା ଓ କର୍ମୀଙ୍କୁ ଆଣି ଶ୍ରୀ ସାମଲ ବିଜେପିରେ ମିଶାଉଛନ୍ତି । ଉଭୟ ରାଜ୍ୟ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେଲେ ଚାନ୍ଦବାଲିର ବିକାଶ କିଭଳି ଦ୍ୱିଗୁଣିତ ହୋଇପାରିବ ସେଥିନେଇ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ଲୋକମାନଙ୍କୁ ବୁଝାଉଛନ୍ତି । ଶ୍ରୀ ସାମଲ ବି ରାଜନୀତିରେ ବେଶ ଅଭିଜ୍ଞ ଓ ପରିପକ୍ୱ ହୋଇଥିବାରୁ ଏଠାକାର ରାଜନୈତିକ ପାଣିପାଗରୁ ସେ ବେଶ ଫାଇଦା ଉଠାଇ ପାରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply