Odisha news

ଡଙ୍କାରୀ ପଥରଖଣି ଦୁର୍ଘଟଣା : ଚାରିଦିନ ପରେ ଉଦ୍ଧାର କାର୍ଯ୍ୟ ଶେଷ ,ଆଉଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର,ଲିଜଧାରୀ ନାମରେ ମାମଲା ପଞ୍ଜିକୃତ,ପ୍ରୋକଲିନ ଓ ୱାଗନ ଡ୍ରିଲିଙ୍ଗ  ମେସିନ ଜବତ

0
ଚଣ୍ଡିଖୋଲ/ଚଡେଇଧରା,୧୯/୦୫ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ତଥା ଜିଲ୍ଲା ଲଘୁ ଖଣି ଅଧିକାରୀ (ଡିଡିଏମ)ଙ୍କ ଅଧିନରେ ଥିବା ଡଙ୍କାରୀ ପାହାଡର ବିଏସକ୍ୟୁ ୫/୧୦ ନମ୍ବର ଖଣିରେ କଳାପଥର ଚୋରି ସମୟରେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଭୟାନକ ଦୁର୍ଘଟଣା ଏବେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଇଛି! ପଥର ମାଫିଆଙ୍କ ଏଭଳି ଅମାନବୀୟ କାର୍ଯ୍ୟ ଓ ଲୁଟପାଟ ଯୋଗୁଁ ଏପରି ହୃଦୟ ବିଦାରକ ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଘଟଣାକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି! ଏହି ଦୁର୍ଘଟଣା ପରେ ଗତ ୪ଦିନ ହେଲା ଏନଡିଆରଏଫ ଟିମ ଦ୍ୱାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ରବିବାର ଅପରାହ୍ନରେ ଶେଷ ହୋଇଛି! ଏହି ଖଣି ଦୁର୍ଘଟଣାରେ ମୋଟ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ପୋଲିସ ଓ ଏନଡିଆରଏଫ ଟିମ ସ୍ପଷ୍ଟ କରିଛନ୍ତି! ଶନିବାର ରାତିସୁଦ୍ଧା ପଥର ତଳୁ ଉଦ୍ଧାର କରାଯାଇଥିବା ଦୁଇଜଣ ଶ୍ରମିକଙ୍କ ମୃତଦେହର ପରିଚୟ ମିଳି ସାରିଥିଲା ବେଳେ ଗତକାଲି ଖଣି ଭିତରେ ପଥରତଳେ ଚାପିହୋଇ ରହିଥିବା ଅବସ୍ତାରେ ଏନଡିଆରଏଫ ଟିମ ଠାବ କରିଥିବା ଆଉଜଣେ ଶ୍ରମିକଙ୍କ ମୃତଦେହକୁ ରବିବାର ସକାଳୁ ଉଦ୍ଧାର କରାଯାଇଥିଲା! ପରେ ପରେ ସେହି ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ମିଳିଯାଇଛି! ତାଙ୍କ ନାମ ସୁରେଶ ଗୌଡ ଓ ତାଙ୍କ ଘର ନଵରଙ୍ଗପୁରରେ ବୋଲି ଜଣାପଡିଛି! ଏହି ମୃତ ଶ୍ରମିକମାନେ ଦୀର୍ଘ ଦିନହେବ ରେଜିଂ କଟ୍ରାକ୍ଟର ରେଡି ବ୍ରଦର୍ଶଙ୍କ ପାଖରେ ରହି ଉକ୍ତ ଖଣିର ଲିଜଧାରୀ ନାରାୟଣ ରାଉତ ଓ ନିରଞ୍ଜନ ରାଉତଙ୍କ ଖଣିରେ କାମ କରୁଥିବା ଜେନାପୁର ପୋଲିସ ପ୍ରକାଶ କରିଛି! ସମସ୍ତ ମୃତଦେହକୁ ଧର୍ମଶାଳା ଡାକ୍ତର ଖାନାରେ ବ୍ୟବଛେଦ କରାଯିବା ପରେ ସେମାନଙ୍କ ପରିବାର ବର୍ଗଙ୍କୁ ପୋଲିସ ହସ୍ତାନ୍ତର କରିଛି! ଏହି ଘଟଣାରେ ଜିଲ୍ଲା ଲଘୁ ଖଣି ଅଧିକାରୀଙ୍କ ଏତଲାକୁ ଭିତିକରି ଲିଜଧାରୀ ନାରିୟଣ ରାଉତଙ୍କ ନାମରେ ଜେନାପୁର ଥାନାରେ ୧୮୩/୨୩ ନମ୍ବରରେ ମାମଲା ପଞ୍ଜିକୃତ ହୋଇଥିଲା ବେଳେ ଏଥିପୂର୍ବରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଅନୁରୁପ ଭାବେ ଲିଜଧାରୀଙ୍କ ବିରୁଦ୍ଧରେ ଦିଆଯାଇଥିବା ୪ଟି ଲିଖିତ ଅଭିଯୋଗକୁ ଡାଈରି କରାଯାଇ ତାହା ଉପରେ ତଦନ୍ତ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁକୁମାର ସାହୁ କହିଛନ୍ତି! କେଶ ପଞ୍ଜିକରଣ ପରେ ବେଆଇନ ଖଣି ଖନନରେ ନିୟୋଜିତ ଥିବା ପ୍ରୋକଲିନ ଓ ୱାଗନ ଡ୍ରିଲିଙ୍ଗ ମେସିନକୁ ପୋଲିସ ଜବତ କରିବା ସହ ଦୁର୍ଘଟଣା ଘଟିଥିବା ଡଙ୍କାରୀ ପାହାଡର ବିଏସକ୍ୟୁ ୫/୧୦ ନମ୍ବର ଖଣିକୁ ସିଲ କରିଦେଇଛି! ତେବେ ଲିଜଧାରୀଙ୍କ ବେଆଇନ କାର୍ଯ୍ୟ,ଲିଜ ପ୍ରଦାନ ସମୟରେ ହୋଇଥିବା ଚୁକ୍ତିର ଖିଲାପ ଓ ଚରମ ଅବହେଳାକୁ ଏତଲାରେ ଦର୍ଶାଇ ଖଣି ଅଧିକାରୀ ଲିଜଧାରୀ ନାରାୟଣ ରାଉତଙ୍କୁ ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିବା ଜଣାପଡ଼ିଛି! ହେଲେ ଲିଜଧାରୀ ଏତେସବୁ ବେଆଇନ କାର୍ଯ୍ୟ କରି ଦୀର୍ଘ ଦିନହେବ ଏହି ଖଣି ଖନନ କରୁଥିଲେ ମଧ୍ୟ ଜିଲ୍ଲା ଲଘୁ ଖଣି ଅଧିକାରୀ, ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ସହ ପୋଲିସ କାହିଁକି ଚୁପ ବସିଥିଲା ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ହୋଇଛି! ଏହି ବେଆଇନ ଖଣି ଖନନ ଯୋଗୁଁ ସମଗ୍ର ଆଞ୍ଚଳରେ ପରିବେଶ ଧ୍ୱଂସ ହେବା ସହ ସ୍ଥାନୀୟ ଜନ ଜୀବନକୁ ଦୁର୍ବିସହ କରିଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉତ୍ତେଜନା ଲାଗିରହିଛି! ଏଥିନେଇ ସପୃକ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଲୋକେ ଦାବି କରିଛନ୍ତି!
Leave A Reply