ତିହିଡି, ୧୯/୦୫(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଆରୁହା ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ତିହିଡି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଯୁବକ ହେଉଛନ୍ତି ପୀରହାଟ ଥାନା ଅନ୍ତର୍ଗତ ମାଲପୁର ଗାଁର ପାଗଳା ଜେନା ଙ୍କ ପୁଅ ଭାଗିରଥି ଜେନା(୨୫) । ଗୁରୁତର ଆହତ ହୋଇଥିବା ଯୁବକ ଦ୍ୱୟ ହେଉଛନ୍ତି ସେହି ମାଲପୁର ଗାଁର ବାଇନ ଜେନାଙ୍କ ପୁଅ ବିମଳ ଜେନା(୨୫) ଓ ଗଦି ଅଞ୍ଚଳର ସୁଦର୍ଶନ ରାଉତଙ୍କ ପୁଅ ବାବାଜୀ ରାଉତ(୨୬) । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିବାର ଖବର ମିଳିଛି । ପ୍ରକାଶ ସେ ଆଜି ସନ୍ଧ୍ୟାରେ ୨ଟି ପୃଥକ ପୃଥକ ବାଇକରେ ଉକ୍ତ ୩ ଜଣ ଯୁବକ ତିହିଡି ଆଡକୁ ଆସୁଥିବା ବେଳେ ପଛପଟୁ ଏକ ହାଇୱା ନଂ-ଓଆର୨୨ଏକ୍ସ-୫୪୫୫ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଗୋଟିଏ ବାଇକରେ ଥିବା ମାଲପୁର ଗାଁର ଭାଗିରଥିଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ଅନ୍ୟତମ ଯୁବକ ବିମଳ ଗୁରୁତର ଆହତ ହୋଇଥିଲେ । ସେହିପରି ଅନ୍ୟ ବାଇକରେ ଆସୁଥିବା ଗଦି ଅଞ୍ଚଳର ବାବାଜୀ ବି ଗୁରୁତର ଆହତ ହୋଇଥିବା ଜଣାଯାଇଛି ।