Odisha news

ନିର୍ବାଚନ ଦାୟିତ୍ୱ ଦକ୍ଷତାର ସହ ପରିଚାଳନା କରିବାକୁ ପୋଲିଂ ଅଧିକାରୀମାନଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ : ଏହି ମହାନ କାର୍ଯ୍ୟ ପ୍ରତ୍ୟେକଙ୍କୁ ଗର୍ବ ଆଣିଦେବ

0

ଭୁବନେଶ୍ୱର ୧୮/୦୫/୨୦୨୪ : ଖୋରଧା ଜିଲ୍ଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥି ନିମନ୍ତେ ଜିଲ୍ଲାର ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ୧୫ ହଜାର ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଜିଲ୍ଲାର ୧୯୨୩ଟି ମତଦାନ କେନ୍ଦ୍ର ମଧ୍ୟରୁ କେବଳ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୫୨୫ଟି ସଖୀ ବୁଥ୍‌ ରହିଛି । ସେଥି ମଧ୍ୟରୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ କେବଳ ମହିଳା ମାନଙ୍କ ଦ୍ୱାରା ପରିଚାଳିତ । ଏଥିସହ ଦିବ୍ୟାଙ୍ଗ ଅଧିକାରୀମାନଙ୍କୁ ୮ଟି ମତଦାନ କେନ୍ଦ୍ରରେ ପୋଲିଂ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ କେବଳ ଯୁବ ଅଧିକାରୀମାନଙ୍କୁ ୪୦ଟି ମତଦାନ କେନ୍ଦ୍ର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରାଣା କହିଛନ୍ତି ଯେ ଅବାଧ, ମୁକ୍ତ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ପୋଲିଂ ଅଧିକାରୀମାନଙ୍କ ଗୁରୁଦାୟିତ୍ୱ ରହିଛି । ଦେଶରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ନିମନ୍ତେ ପୋଲିଂ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠା ଓ ନିରପେକ୍ଷ ଭାବେ କାର୍ଯ୍ୟ ସମ୍ପର୍ଣ୍ଣ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ରାଣା ଆଶାବ୍ୟକ୍ତ କରିଛନ୍ତି । ଏଭଳି ଦାୟିତ୍ୱ ଖୁବ୍‌ କମ୍‌ ନାଗରିକଙ୍କ ଭାଗ୍ୟରେ ମିଳିଥାଏ ଏବଂ ଦକ୍ଷତାର ସହ କାମ କରିବାକୁ ସମସ୍ତଙ୍କ ନିକଟରେ ସାମର୍ଥ୍ୟ ଥିବା ସେ ଉଲ୍ଲେଖ କରିଛନ୍ତି । ଦକ୍ଷତାର ସହ ନିର୍ବାଚନ ତୁଲାଇଲେ ୫ ବର୍ଷ ପର୍ଯ୍ୟନ୍ତ ଦେଶର ଭବିଷ୍ୟତ ସୁରକ୍ଷିତ ହୋଇ ରହିବ ବୋଲି ଜିଲ୍ଲାପାଳ ଆଶାପ୍ରକଟ କରିଛନ୍ତି ।

ସୈନିକମାନେ ଦେଶର ସୀମାରେ ରହି ସୁରକ୍ଷା ଦେଉଥିବା ଭଳି ଭାରତୀୟ ଗଣତନ୍ତ୍ରର ସୁରକ୍ଷା ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ହାତରେ ଏବଂ ଏହି ମହାନ କାର୍ଯ୍ୟ ପାଇଁ ସଂପୃକ୍ତ କର୍ମଚାରୀ ଓ ଅଧିକାରୀମାନଙ୍କ ବନ୍ଧୁ ଓ ପରିଜନ ଗର୍ବ ଅନୁଭବ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ନିର୍ବାଚନ ପରିଚାଳନା କାର୍ଯ୍ୟକୁ ଦକ୍ଷତା ଓ ଦାୟିତ୍ୱବୋଧ ଭାବେ ସମାପନ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Leave A Reply