ସାକ୍ଷୀଗୋପାଳ : ଆସନ୍ତା ମଇ ମାସ ୨୫ ତାରିଖରେ ପୁରୀ ଲୋକସଭା ଓ ସତ୍ୟବାଦୀ ବିଧାନସଭା ଆସନ ନିମନ୍ତେ ଅନୁଷ୍ଠିତ ହେବାକୁଥିବା ମତଦାନ ଯେଭଳି ଶତ ପ୍ରତିଶତ ହେବ ସେଥିପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ବିଶ୍ବହିନ୍ଦୁ ପରିଷଦର ମିଳିତ ଆନୁକୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦକ୍ଷିଣ କାଳୀ ମନ୍ଦିର ନିକଟରେ ଆୟୋଜିତ ଏହି ବୈଠକରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ରାଜ୍ୟ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ପୁରୀ ଲୋକସଭା କ୍ଷେତ୍ର ସହ ସଂଯୋଜକ ପ୍ରଭାତ କୁମାର ମହାପାତ୍ର, ଲୋକସଭା କ୍ଷେତ୍ର ସଦସ୍ୟ ରଞ୍ଜନ କୁମାର ମହାରଣା, ପୁରୀ ଜିଲ୍ଲା ସଂଘର ପ୍ରଚାରକ ରଞ୍ଜନ କୁମାର ନାୟକ , ବିଶ୍ବହିନ୍ଧୁ ପରିଷଦ ପୁରୀ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ,ଜିଲ୍ଲା ସହ ସମ୍ପାଦକ ଚିତ୍ତରଞ୍ଜନ ଆଚାର୍ଯ୍ୟ , ବିଶ୍ବହିନ୍ଧୁ ପରିଷଦ ସତ୍ୟବାଦୀ ଶାଖା ସଭାପତି ଅମିନ ଚରଣ ପ୍ରଧାନ , ସଙ୍ଘ ସତସଙ୍ଗ ପ୍ରମୁଖ ସନ୍ତୋଷ କୁମାର ମହାନ୍ତି ଙ୍କ ସମେତ ଉଭୟ ସଂଘର ୫୦ ଜଣ କର୍ମକର୍ତ୍ତା ବୈଠକରେ ଯୋଗ ଦେଇଥିଲେ । ଆସନ୍ତା ନିର୍ବାଚନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଯେଭଳି ଜଣେ ମତଦାତା କୌଣସି କାରଣରୁ ନିଜ ମତଦାନ ଅଧିକାରରୁ ବଞ୍ଚିତ ନ ହୁଏ ସେଥିପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଅଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମରେ ସଙ୍ଘର ମାତୃଶକ୍ତି ଓ ଯୁବ ଶକ୍ତିକୁ ସାମିଲ କରାଯାଇ ପ୍ରତ୍ୟେକ ଭୋଟରଙ୍କୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ସଚେତନ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ନିର୍ବାଚନରେ ମତଦାନର ପ୍ରତିଶତ ଯଦି ଠିକ ରହିବ ତେବେ ଏକ ଭଲ ଓ ସ୍ଥିର ସରକାର ପାଇବାରେ ଆମେ ସଫଳ ହେବା ବୋଲି ସଭାର ସଭାପତି ତଥା ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଥିଲେ । ପୁରୀ ଜିଲ୍ଲା ସହ ସମ୍ପାଦକ ଚିତ୍ତରଞ୍ଜନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ