Odisha news

ପଲିଥିନ ତଳେ ବିତୁଛି ଅସହାୟା ମାତାଜିର ଜୀବନ

0

ତିହିଡି, ୨୧/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ଲୋକେ ଏକାଧିକ ଆବାସ ପାଉଥିବାର ଅଭିଯୋଗ ହେଉଥିବା ବେଳେ ଅସହାୟା ମାତାଜି ଭାଗ୍ୟରେ ଗୋଟିଏ ହେଲେ ବି ଜୁଟିଲା ନାହିଁ । ଘରପୋଡି ପରଠାରୁ ପଲିଥିନ ଘରକୁ ଆଶ୍ରା କରି ମାତାଜି ଆଶାରେ ପଡିରହିଛି ଆବାସ ତାକୁ ମିଳିବ । ମାତ୍ର ଆଶା ତାର ଧିରେ ଧିରେ ମଉଳି ଯାଉଥିବାରୁ ମାତାଜି ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରିଛି । ପ୍ରକାଶ ଯେ, ସୟା ପଞ୍ଚାୟତ ମାଟିଆସାହି ଗାଁର ରଘୁନାଥ ପରିଡାଙ୍କ ଘର । ରଘୁନାଥ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ୨୦୨୨ ମସିହାରେ ନିଆଁ ଲାଗି ତାଙ୍କ ଘରଟି ସଂପୂର୍ଣ୍ଣ ପୋଡି ଯାଇଥିଲା । ଘରପୋଡି ପରେ ବିଧି ଅନୁସାରେ ପଲିଥିନ ଓ କିଛି ଅର୍ଥ ରଘୁନାଥଙ୍କୁ ମିଳିଥିଲା ଏବଂ ଅଗ୍ରାଧୀକାରଭିତ୍ତିରେ ଘର ଯୋଗାଇ ଦେବାକୁ ତହସିଲଦାର ଓ ବିଡିଓ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆବାସ ଯୋଜନାରେ ତାର ନାମ ଥିଲେ ବି ଆବାସ ଯୋଗାଇ ନଦେବାରୁ ସେ ବିଡିଓ ଓ ପଞ୍ଚାୟତ ପିଇଓଙ୍କୁ ଲିଖିତଭାବେ ଦରଖାସ୍ତ କରିଥିଲେ । ମାତ୍ର ତା’ର ଦରଖାସ୍ତ ଡଷ୍ଟବିନକୁ ଚାଲି ଯାଇଥିବାରୁ ତା ଗୁହାରୀ କେହି ଶୁଣିବାକୁ ନାହାନ୍ତି । ରଘୁନାଥର ସ୍ତ୍ରୀ କ୍ଷୋଭର ସହ କୁହେ ଯେ, ଏହି ଗାଁର ଜଣେ ଜଣେ ଲୋକ ଏକାଧିକ ଆବାସ ପାଉଛନ୍ତି ତ ଜଣେ ଜଣେ ପୁରୁଣା ଘରକୁ ଦେଖାଇ ଟଙ୍କା ଉଠାଇ ନେଉଛନ୍ତି । ହେଲେ ମୋ ବେଳକୁ ପ୍ରଶାସନ ଉଦାସୀନ କାହିଁକି? ଅବିଳମ୍ବେ ମାତାଜିର ପରିବାରକୁ ଆବାସ ଯୋଗାଇ ଦେବାକୁ ସେହି ଗାଁର ପୂର୍ବତନ ସମିତିସଭ୍ୟ ରମାକାନ୍ତ ପରିଡା ଦାବି କରିଛନ୍ତି ।

Leave A Reply