ତିହିଡି, ୨୧/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ତହସିଲ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଫତେପୁର ଓ ମୁକୁନ୍ଦପୁର ପଞ୍ଚାୟତର କଞ୍ଚନପୁର ଗାଁରେ ଘରପୋଡି ହୋଇଥିବା ସୂଚନା ମିଳିଛି । ଫତେପୁର ଗାଁର ମଣ୍ଟୁନାୟକଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁଲାଗି ଗୋଟେ ବଖରା ଘର ପୋଡି ଯାଇଥିବା ବେଳେ ଶ୍ରୀ ନାୟକଙ୍କ ଧାନଚାଉଳ, ଲୁଗାପଟା ଓ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି । ସେହିପରି ୧୨ଟି କୁକୁଡା ଓ ବତକ ନିଆଁରେ ଦଗ୍ଧ ହୋଇଥିବା ବେଳେ ତାଙ୍କ ଗ୍ୟାସ ସିଲିଣ୍ଡରଟି ନିଆଁର ଉତ୍ତାପରେ ଫାଟିଯାଇଛି । ଖବରପାଇ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଆଜି ଫତେପୁର ସରପଞ୍ଚ ପ୍ରଦୀପ ବଳ ବିପନ୍ନଙ୍କ ଘରେ ପହଞ୍ଚି ପ୍ରାଥମିକ ସହାୟତା ଯୋଗାଇ ଦେଇଛନ୍ତି । ସେହିପରି କଞ୍ଚନପୁର ଗାଁର ଶଙ୍କର୍ଷଣ ପରିଡାଙ୍କ ଘରେ ମଧ୍ୟ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ତେବେ ତିହିଡିରୁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଏହି ଘରପୋଡିରେ ଶ୍ରୀ ପରିଡାଙ୍କ ବିଶେଷକିଛି ଧୟକ୍ଷତି ହୋଇନଥିବା ଜଣାଯାଇଛି ।