ବାରିପଦା : ରାଗ୍ଧା ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ନୂଆ ଏବଂ ଯୁବ ଭୋଟରଙ୍କୁ ଭୋଟପ୍ରଦାନ କାର୍ଯ୍ୟକ୍ରମରେ ସାମିଲ କରିବା ଏହାର ମୁଖ୍ୟ ବିଷୟ ବସ୍ତୁ ଥିଲା “ନିର୍ବାଚନ ପୂର୍ବ ଆମ ଦେଶର ଗର୍ବ ଏବଂ ସତର ପୁରି ମୋତେ ହେଲା ଅଠର, ନିଶ୍ଚୟ ହେବି ମୁଁ ଏକ ନୂଆ ଭୋଟର’ ପ୍ରଭୁତି ମନକୁ ଏବଂ ହୃଦୟକୁ ସ୍ପର୍ଷ କଲାଭଳି ନିର୍ବାଚନ ସମ୍ବନ୍ଧୀୟ ପୋଷ୍ଟର ଗୁଡିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା । କାର୍ଯ୍ୟକ୍ରମ ପୂର୍ବରୁ ନିର୍ବାଚନ ସମ୍ବନ୍ଧୀୟ ରଙ୍ଗୋଲି ଏବଂ ଚିତ୍ରାଙ୍କନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଯାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧନ ଦାୟିତରେ ଥିଲେ ମହାବିଦ୍ୟାଳୟର ଶିକ୍ଷାବିଭାଗର ଅଧ୍ୟାପିକା ସୁଚିତ୍ରା ବେହେରା ଏବଂ କ୍ରୀଡାଶିକ୍ଷକ ଧନଞ୍ଜୟ ତ୍ରିପାଠୀ । ଆମ ମୟୂରଭଞ୍ଜର ନିର୍ବାଚନ ଜୁନ ୧ତାରିଖକୁ ଧାର୍ଯ୍ୟ ହୋଇଥିବାରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମାନବ ଶୃଙ୍ଖଳ ମାଧ୍ୟମରେ ଜୁନ ଏକ ତାରିଖକୁ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼କ୍ଟର ଅସୀମା ସାହୁ ଏହି ସଭାରେ ଅତିଥି ପରିଚୟ ପ୍ରଦାନ ପୂର୍ବକ ଉଦଘାଟନୀ ଅଭିଭାଷଣ ରଖି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟଅତିଥି ରୂପେ ବାରିପଦାର ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେଉଥିବା ଯନ୍ତ୍ର ଯଥା-ବ୍ୟଲେଟ ଇଉନିଟ ଭିଭିପାର୍ଟ ଏବଂ କଣ୍ଟ୍ରୋଲ ୟୁନିଟ ବିଷୟରେ ଏବଂ ତାହାର କାର୍ଯ୍ୟ ସମ୍ବନ୍ଧୀୟ ସବିଶେଷ ତଥ୍ୟ ପ୍ରଦାନ କରି ଅବାଧ ଏବଂ ମୁଖ୍ୟ ନିର୍ବାଚନ ସମ୍ବନ୍ଧୀରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ବାରିପଦା ତହସିଲଦାର ଦିନମଣୀ ନାୟକ ଯୋଗଦେଇ ନିର୍ବାଚନ ଆୟୋଗର ଆମ ସମ୍ବିଧାନରେ ସ୍ଥିତି ଏବଂ କାର୍ଯ୍ୟ ସମ୍ବନ୍ଦିରେ ବର୍ଣ୍ଣନା କରିବା ସହ କାହାଦ୍ୱାର ପ୍ରଲୋଭିତ କିମ୍ବା ପ୍ରଭାବିତ ନହୋଇ ନିଜର ବହୁମୂଲ୍ୟ ଭୋଟକୁ ଯୋଗ୍ୟ ଏବଂ ଉପଯୁକ୍ତ ପାର୍ଥୀଙ୍କୁ ପ୍ରଦାନ ନିମନ୍ତେ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥିରୂପେ ବାରିପଦା ବିଡ଼ିଓ ଐଶ୍ୱର୍ୟ୍ୟା ଭୂୟାଁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନନ୍ତ କିଶୋର ମହାରଣା, କନିଷ୍ଠଯନ୍ତ୍ରୀ ସୁବାଷ ଚନ୍ଦ୍ର ଜିତବାବୁ ଏବଂ ବୁଥ୍ସ୍ତରୀୟ ଅଧିକାରୀ ପ୍ରଦୀପ କୁମାର ଆଚାର୍ଯ୍ୟ ମଞ୍ଚାସୀନ ହୋଇ ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ମଝିରେ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ତ୍ରିଲୋଚନ ମିଶ୍ର ମଞ୍ଚାସୀନ ଅତିଥି, ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଛ ଏବଂ ମୁକ୍ତ ନିର୍ବାଚନ ନିମନ୍ତେ ଶପଥ ପାଠ କରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଗୋପାଳକୃଷ୍ଣ ମହାନ୍ତ ଧନ୍ୟବାଦ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।