Odisha news

ଖାଇଫୋଡ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ; ଶତାଧିକ ପାଟୁଆ ଖାଇରେ ବୁଲିଲେ 50 ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ 

0
ସାକ୍ଷୀଗୋପାଳ : ପୁରୀ ଜିଲ୍ଳା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭିଁପୁର ଓ ଦାସବିଦ୍ୟାଧରପୁର ଗ୍ରାମରେ  ପ୍ରସିଦ୍ଧ ଖାଇଫୋଡ ଯାତ୍ରା ଆଜି  ଅନୁଷ୍ଠିତ ହୋଇଯାଇଛି । ମାନସିକ ପୁରଣ ପାଇଁ ଜଣେ ଜଣେ ପାଟୁଆ ୬ ରୁ  ୧୦ ଇଞ୍ଚ ଲମ୍ବା, ଦୁଇରୁ ଚାରୋଟି ଲେଖାଏଁ ଲୁହାବାଙ୍କି କଣ୍ଟା ପିଠିରେ ଫୋଡି  12 ଫୁଟ ଉଚ୍ଚତାରେ ଖାଇ ଦଣ୍ଡରୁ ତଳକୁ ଝୁଲି ରହିବା  ସହିତ  ଏବଂ ଠାକୁରଙ୍କ ଜୟ ଜୟ କାର ଧ୍ୱନି ହରବୋଲ, ହୁଳହୁଳି ଦେଇ ଘେରାକୁ ଘେରା ଚକ୍ର କାଟି ଖାଇ ଚାରିପଟ ବୁଲିବା ଦେଖିବାକୁ ମିଳିଥିଲା। ଖାଇଫୋଡ ଯାତ୍ରା ଦେଖିବାକୁ ଭିଁପୁର ଗ୍ରାମର ମା’ ଗଡଚଣ୍ଡୀ ଏବଂ ଦାସବିଦ୍ୟାଧରପୁର ଗ୍ରାମର ନିଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା।   ମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମା’ ଗଡଚଣ୍ଡୀ ଙ୍କୁ ଟାହିଆ ଲାଗି କରାଯାଇଥିଲା । ଘଣ୍ଟ କାହାଳୀ ଢ଼ୋଲ ମହୁରୀ ବଜାଇ ମା ବସନ୍ତେଇ, ମା ଜାଗୁଳାଇ, ମା ମଙ୍ଗଳା, ଛୋଟା ଗୋସେଇଁ  ଓ ମା’ ଗଡଚଣ୍ଡୀ ଏପରି ପାଞ୍ଚଜଣ କାଳେସି  ନିକଟବର୍ତ୍ତୀ  ଲଳିତା ପୋଖରୀକୁ ବିଜେକରିଥିଲେ  । ପୋଖରୀ ଚର୍ତୁପାର୍ଶ୍ୱରେ ସମବେତ ଭକ୍ତ ମାନଙ୍କ ଗହଣରେ  ଜଣଙ୍କ ପରେ ଜଣେ ପାଟୁଆ ଙ୍କ ପୀଠିରେ କାଳେସି ମାନେ କଣ୍ଟା ଫୁଟାଇଥିଲେ ମଧ୍ୟ ପାଟୁଆ ମାନଙ୍କୁ କଷ୍ଟ କିମ୍ବା  କ୍ଷତ ସ୍ଥାନରୁ ରକ୍ତସ୍ରାବ ହୋଇନଥିଲା  । କଣ୍ଟାର ଗୋଟିଏ ମୁଣ୍ଡରେ ଲଗା ଯାଇଥିବା ରଶିରେ ପାଟୁଆ ମାନେ ବନ୍ଧାହୋଇ ଖାଇଦଣ୍ଡରୁ  ତଳକୁ ଝୁଲିଥିଲେ। ଖାଇରେ ବୁଲିବା ସମୟରେ ପାଟୁଆ ମାନେ ଫୁଲ, ଖଜୁରୀ କୋଳି, ଆମ୍ବ ଆଦି ଠାକୁରଙ୍କ ଉଦ୍ଦେଶ୍ୟରେ ପକାଇଥିଲେ ଏବଂ ମାନସିକ କରାଯାଇଥିବା ଛୋଟ ଛୋଟ ଶିଶୁ ମାନଙ୍କୁ ଖାଇରେ ଧରି ପାଟୁଆ ମାନେ ବୁଲୁଥିବା ଦେଖାଯାଇଥିଲା। ସେହିପରି ଦାଶବିଦ୍ୟାଧରପୁର ଗ୍ରାମର ମା’ ବିନ୍ଧ୍ୟବାସିନୀ, ଦୁଲ୍ଲଣା, ମଙ୍ଗଳା, ଛୋଟାଗୋସେଇଁଙ୍କ କାଳେସୀ ଉଭା ହୋଇଥିଲେ। ବଡପୋଖରୀ ମଧ୍ୟରେ ପାଟୁଆ ମାନେ କଣ୍ଟା ଫୋଡାଇ ଜଣକ ପରେ ଜଣେ ଖାଇରେ ବୁଲିଥିଲେ। ଶାନ୍ତି ଶୃଙ୍ଖଳା ରେ ଯାତ୍ରା ପରିଚାଳନା ପାଇଁ ଗ୍ରାମକୋଠ କମିଟି, ସତ୍ୟବାଦୀ ପୋଲିସ ପ୍ରଶାସନ ଓ ସ୍ବେଚ୍ଛାସେବୀ ମାନେ  ସହଯୋଗ କରିଥିଲେ  l
Nalco
Leave A Reply