ଭୁବନେଶ୍ୱର,ତା.୨୭/୦୨: ରାଜ୍ୟରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ପ୍ରସ୍ତୁତ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୪ ନିର୍ବାଚନର ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ ଖସଡା ସଂପର୍କରେ ଆଲୋଚନା କରାଯାଇଛି । ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ । ଆସନ୍ତା ୧ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ । ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା ଏବଂ ୧୪୭ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପିତ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା କରାଯିବ । ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ନିର୍ବାଚନୀ ଇସ୍ତାହାର କମିଟି ମଧ୍ୟ ଗଠନ ହେବା ସହ ଆସନ୍ତା ୨୯ତାରିଖ ଦିନ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଶୁଭାରମ୍ଭ ହେବ । ଅଭିଯୋଗ ପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗ ପତ୍ର ସଂକଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି ।
ନିର୍ବାଚନୀ ଇସ୍ତାହାର କମିଟି ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯିବ ଏବଂ ଉକ୍ତ ମତକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ । ଦଳର ନିର୍ବାଚନ ଇସ୍ତାହାର ତିଆରିରେ ସାଧାରଣ ଜନତାଙ୍କ ଭାଗିଦାରି ରହିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଦଳ ମତାମତ ସଂଗ୍ରହ କରିବ । ଏଥିସହ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଫେବୃୟାରୀ ୭ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଏବଂ ଆଜି ୨୭ ଫେବୃୟାରୀରେ ୧୪୬ ବିଧାନସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି ।
ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ।