ବେତନଟୀ : ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି କ୍ଷେତ୍ରରେ ସେତିକି ରୋଚକ ସମ୍ବାଦ ଶୁଣିବାକୁ ମିଳିଛି । କାଲି ଯିଏ ପର ଆଜି ସିଏ ନିଜର ଏହି ନୀତିରେ କିଛି ବିରୋଧ ଓ କିଛି ଆତ୍ମୀୟତାର ଭାବ ଦେଖିବାକୁ ମିଳେ I
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଗତକାଲି ବିଜୁ ଜନତା ଦଳର ୨୪ ନଂ ଜିଲ୍ଲା ପରିଷଦ ସଦସ୍ୟ ଜଗନ୍ନାଥ ମଲ୍ଲିକଙ୍କ ଇସ୍ତଫା ପରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଛି । ସେ ତାଙ୍କ ଇସ୍ତଫା ପତ୍ରରେ ନିଜର ବ୍ୟକ୍ତିଗତ ସମସ୍ୟା ପାଇଁ ଦଳରୁ ଇସ୍ତଫା ଦେଇ ଥିବା ର ଉଲ୍ଲେଖ କରିଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ପ୍ରତି ଆନୁଗତ୍ୟ ଥିବାର ଆଶା କରଯାଏ । ତାଙ୍କର ବ୍ୟକ୍ତି ଗତ ଜୀବନୀରୁ ଯାହା ଜଣାଯାଏ ରାଜନୀତି କ୍ଷେତ୍ରରେ ତାଙ୍କର ରୁଚି ଥିବାରୁ କଲେଜ ପଢିବା ସମୟରେ ଛାତ୍ର ନେତା ଭାବେ ବେଶ ସୁନାମ ଅର୍ଜନ କରିଥିଲେ । ପ୍ରତ୍ୟେକ୍ଷ ରାଜନୀତି ରେ ଆସି ସାଧାରଣ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲେ । ଗତ ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ଦଳର ଜଣେ ଆଗ ଧାଡିର ଆଶାୟୀ ଭାବେ ଦଳୀୟ ନେତୃବୃନ୍ଦଙ୍କ ବିଶ୍ୱାସଭାଜନ ହୋଇ ପାରିଥିଲେ । ମାତ୍ର କୁଟୀଳ ରାଜନୀତି ପାଇଁ ଶେଷ ସମୟ ରେ ସେ ଦୁଇ ଦୁଇ ଥର ଟିକେଟ ପାଇବାରୁ ବଞ୍ଚିତ ହେଲେ । ଶେଷରେ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ୨୪ ନଂ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ଟିକେଟ ଦିଆଗଲା ଏବଂ ସେ ମଧ୍ୟ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀ ପାଇଁ ଏକାଧିକ ଆଶାୟୀ ଙ୍କ ମଧ୍ୟରୁ ଶ୍ରୀ ମଲ୍ଲିକ ମୂଖ୍ୟ ଦାବିଦାର ଭାବେ ଚର୍ଚ୍ଚା ହେଉଥିଲା । ମାତ୍ର ଦଳୀୟ ନେତୃବୃନ୍ଦ ଅନ୍ୟ ଜଣଙ୍କୁ ଟିକେଟ ଦେବାର ଚର୍ଚ୍ଚା ହେଉଥିବା ଜାଣି ଶ୍ରୀ ମଲ୍ଲିକ ଇସ୍ତଫା ଦେଇ ଥାଇପାରନ୍ତି ବୋଲି ଆଶା କରାଯାଏ । ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଗଣେଶ୍ଵର ପାତ୍ର ବିଜେପି ଠାରୁ ବହୁ ବ୍ୟବଧାନରେ ଜିତିଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ଗୋଷ୍ଠୀ କନ୍ଦଳ କୁ ଲକ୍ଷ୍ୟ କରି ବିଜେଡି ବୃନ୍ଦାବନ ଦାସଙ୍କୁ ଟିକେଟ ପ୍ରଦାନ କରିବା ଯୋଗୁଁ ବିଜେପି ର ସନାତନ ବିଜୁଳି ଙ୍କ ପ୍ରତି ଜନସାଧାରଣ ଆସ୍ଥା ପ୍ରକଟ କରି ବିଜୟୀ କରାଇଥିଲେ। ଏହି ବିଜୟ ଧାରା କୁ ବଜାୟ ରଖିବାକୁ ହେଲେ ଜଗନ୍ନାଥ ମଲ୍ଲିକ ଙ୍କୁ ବିଜେପି ଆପଣେଇବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କାରଣ ତାଙ୍କର ଦୃଢ ସାଙ୍ଗଠନିକ ଦକ୍ଷତା ପାଇଁ ସେ ଜିଲ୍ଲାପରିଷଦ ନିର୍ବାଚନରେ ବହୁ ବ୍ୟବଧାନରେ ଜିତିବା ସହିତ ବେତନଟୀ ଓ ବଡ଼ସାହି ବ୍ଳକରେ ନିଜର ଆନୁଗତ୍ୟଙ୍କ ସଂଖ୍ୟା ବୃଦ୍ଧି କରି ପାରିଛନ୍ତି। ତେଣୁ ଯଦି ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଦଳ ତାଙ୍କୁ ବିଧାୟକ ଟିକେଟ ପ୍ରଦାନ କରିଲେ ବିପୁଳ ଭୋଟରେ ବିଜୟୀ ହେବା ଏକ ପ୍ରକାରର ସ୍ଥିର ବୋଲି ସାଧାରଣ ରେ ପ୍ରକାଶ ପାଉଛି ।