(ତିହିଡିରୁ ଯଦୁମଣି ପାଣିଗ୍ରାହୀଙ୍କ ରିପୋର୍ଟ, ସକାଳ ଖବର) : ତିହିଡ଼ି, ତିହିଡି ବ୍ଲକର ସର୍ବ ପୁରାତନ ତଥା ସମଗ୍ର ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିବା ତିହିଡି ଚରସ ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉତ୍ସବ ୧୩ ତାରିଖ ଅପରାହ୍ଣରେ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିବା ସହ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଜଷ୍ଟିସ ଶତପଥି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପ୍ରାଚୀନ ଗୁରୁକୁଳ ପରମ୍ପରାକୁ ପୁଣି ଥରେ ସେମାନଙ୍କ ଭିତରେ ଉଜ୍ଜିବୀତ କରିବାକୁ ପରାମର୍ଶ ଦେବା ସହ କଠୋର ପରିଶ୍ରମ କଲେ ସଫଳତା ମିଳିପାରିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସୁବକ୍ତା ତଥା ସାହିତି୍ୟକ କାଳୀକିଙ୍କର ପଟ୍ଟନାୟକ ଯୋଗ ଦେଇ ନିୟମିତ ବ୍ୟାୟାମ କରିବା ସହ ନିଜ ଭିତରେ ଈଶ୍ୱରଙ୍କ ସତ୍ତାକୁ ଜାଗ୍ରତ କରାଇପାରିଲେ କେବଳ ଶିକ୍ଷା ନୁହେଁ ବରଂ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ବୋଲି କହିଥିଲେ । ପ୍ଲାଟିନମ ଜୁବୁଲି କମିଟିର ସଭାପତି ସୋମନାଥ ପାଢୀ ଏହି ସଭାରେ ଅଧ୍ୟକ୍ଷତା କରିଥିବା ବେଳେ କମିଟିର ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ସମରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟର ସାମଗ୍ରୀକ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ପୁରାତନ ଛାତ୍ର ଡ.ଲକ୍ଷ୍ମୀଧର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ବିଶ୍ୱଜିତ ବେହେରା ଅତିଥି ପରିଚୟ ଦେଇଥିଲେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।