ପାରାଦୀପ : ସରକାର ପ୍ରାଥମିକ ଶିକ୍ଷା ର ଗୁଣବତ୍ତା ବୃଦ୍ଧି ନିମିତ୍ତ ତ୍ରୟମାସିକ, ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପରିଚାଳନା କରିଥାନ୍ତି | ଶିକ୍ଷା ବିଭାଗ ର ଗୁରୁ ଦାୟିତ୍ଵ ରେ ଏହା ପରିଚାଳନା କରାଯିବାକୁ ନିଷ୍ପତ୍ତି ମଧ୍ଯ ନିଆଯାଏ | କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିକ୍ଷା ବିଭାଗର ଅଜବ ନୀତି ପାଇଁ ଏହି ପରୀକ୍ଷା ପରିଚାଳନା ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ପରୀକ୍ଷା ସମୟରେ ୟୁ ଡାଇସପ୍ଲସ ପୋଗ୍ରାମ କରାଯାଇଛି | ଯାହାକି ଶିକ୍ଷା ବିଭାଗ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି | ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା ଚାଲୁଥିବା ବେଳେ ୟୁ ଡାଇସପ୍ଲସ ପୋଗ୍ରାମ ବା ଶିକ୍ଷା ପାଇଁ ଜିଲ୍ଲା ଏକିକୃତ ତଥ୍ଯ ପଦ୍ଧତି କାର୍ଯ୍ୟକ୍ରମ କରାଯାଇଛି | ଗତ 6 ଓ 7 ତାରିଖ ଦିନ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇଦିନ ଧରି ଏହି ୟୁ ଡାଇସପ୍ଲସ ପୋଗ୍ରାମ କରାଯାଇଥିବା ଓ ପ୍ରଥମ ଦିନ 5 ଟି କ୍ଳଷ୍ଟର ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଦ୍ଵିତୀୟ ଦିନ ରେ 4 ଟି କ୍ଳଷ୍ଟର ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡକରା ଯାଇ ଏହି କାର୍ଯ୍ୟକ୍ରମ କରାଯାଇଛି | ମୁଖ୍ୟ କଥା ହେଲା ଅନେକ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ପରୀକ୍ଷା ସମୟରେ ଉକ୍ତ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଡକାଯାଇ ୟୁ ଡାଇସପ୍ଲସ ପୋଗ୍ରାମ କରାଯାଇଥିବା ବେଳେ ସେହି ବିଦ୍ୟାଳୟ ରେ ଆଉ ମାତ୍ର ଅବଶିଷ୍ଟ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ କିଭଳି ସାତଟି ଶ୍ରେଣିର ଷାଣ୍ମାସିକ ପରୀକ୍ଷା ଏକାକୀ ପରିଚାଳନା କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି | ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ ରେ ସାତଟି ଶ୍ରେଣି ର ପରୀକ୍ଷା କେତେ ସୂଚାରୁ ରୂପେ ସଂପାଦନ କରାଯାଇଥିବ ତାହାକୁ ନେଇ ଉଠିଛି ପ୍ରଶ୍ନ | ଗତ ଅକ୍ଟୋବର ମାସ ରେ ଷାଣ୍ମାସିକ ପରୀକ୍ଷା ଶେଷ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପତ୍ର ଦ୍ଵାରା ନିର୍ଦ୍ଦେଶି ଦେଇଥିବା ବେଳେ ଏହା ସେହି ସମୟ ରେ ହୋଇନଥିଲା କଣ ପାଇଁ ? ଯଦି ଉକ୍ତ ସମୟରେ ସଂଘ ପ୍ରଶ୍ନପତ୍ର ଦେଲେନାହିଁ ବୋଲି ପରୀକ୍ଷା କରାଯାଇ ପାରିଲା ନାହିଁ, ତେବେ ୟୁ ଡାଇସପ୍ଲସ ପୋଗ୍ରାମ ସମୟରେ ପରୀକ୍ଷା କିପରି ଭାବରେ କାହା ନିର୍ଦ୍ଦେଶ ରେ କରାଗଲା ? ଦିନକ ଆଗରୁ ନତୁବା ଦିନକ ପରେ ପ୍ରୋଗ୍ରାମ କିମ୍ବା ପରୀକ୍ଷା କରିଥିଲେ ଅସୁବିଧା କଣ ହୋଇଥାନ୍ତା ବୋଲି ଚର୍ଚ୍ଚା ଆରମ୍ଭ ହେଉଛି | ଜଣେ ଶିକ୍ଷକ ରେ ଯେଉଁ ବିଦ୍ୟାଳୟ ରେ ପରୀକ୍ଷା ପରିଚାଳନା କରାଗଲା, ସେଠି କିଭଳି ଭାବେ ପରୀକ୍ଷା ଅନୁଷ୍ଠିତ ହୋଇଥିବ ଓ ଏହି ପରୀକ୍ଷା ଛାତ୍ରଛାତ୍ରୀ ମାନଙ୍କ ଉପରେ କିଭଳି ପ୍ରଭାବ ପକାଇଥିବ, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସବୁ ସ୍ପଷ୍ଟ ହୋଇ ପାରନ୍ତା ବୋଲି ଆଲୋଚନା ହେଉଛି |