Odisha news

ଦିନିକିଆ ବିଶ୍ବକପ : ଇଂଲଣ୍ଡକୁ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ

0

ଅହମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପର ୩୬ତମ ମ୍ୟାଚରେ ଶନିବାର ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲାରେ ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ପରେ କଙ୍ଗାରୁ ଦଳ ବ୍ୟାଟିଂ କରିଥିଲା। ପେଟ୍‌ କମିନ୍‌ସଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୬ ରନ୍‌ କରିଛି। ଫଳରେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୭ରନ୍‌ର ଲକ୍ଷ୍ୟ ମିଳିଛି। ଇଂଲଣ୍ଡ ପାଇଁ ଡେଭିଡ ୱିଲି ସର୍ବାଧିକ ୪ଟି ୱିକେଟ୍‌ ନେଇଛନ୍ତି।

ଅଷ୍ଟ୍ରେଲିଆର ପାଳି ଆରମ୍ଭ କରିଥିଲେ ଟ୍ରାଭିସ୍‌ ହେଡ୍‌ ଓ ଡେଭିଡ୍‌ ୱାର୍ଣ୍ଣର। ହେଡ୍‌ ୧୦ଟି ବଲ୍‌ର ସାମ୍ନା ହୋଇ ଗୋଟିଏ ଚୌକା ବଳରେ ୧୧ ରନ୍‌ ସଂଗ୍ରହ କରିଥିଲେ। ୱାର୍ଣ୍ଣର ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିପାରି ନଥିଲେ। ସେ ୧୬ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୧୫ ରନ୍‌ କରି ପାଭିଲିଅନ ଫେରିଯାଇଥିଲେ। କଙ୍ଗାରୁ ଦଳ ୧୧ ଓ ୩୮ ରନ୍‌ରେ ପ୍ରାରମ୍ଭିକ ବ୍ୟାଟରଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ୱିକେଟ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ ଓ ମାର୍ନୁସ ଲାବୁସଚେଞ୍ଜ ୭୫ ରନ୍‌ର ଭାଗିଦାରୀ ହୋଇଥିଲେ। ସ୍ମିଥ ୪୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଯିବା ପରେ ତାଙ୍କ ସ୍ଥାନ ପୂରା କରିବାକୁ ଆସିଥିଲେ ଜୋସ୍‌ ଇଙ୍ଗଲିସ୍‌, ଯିଏକି ୬ଟି ବଲ୍‌ ସାମ୍ନା କରିଥିଲେ ଏବଂ ମାତ୍ର ୩ ରନ୍‌ କରି ଫେରିଯାଇଥିଲେ। ଅଷ୍ଟ୍ରେଲିଆ ୫ମ ଝଟକା ଭାବେ ମାର୍ନୁସ(୭୧ ରନ୍‌)ଙ୍କୁ ହରାଇବାକୁ ପଡ଼ିଥିଲା।

ମଧ୍ୟକ୍ରମର ବ୍ୟାଟର କେମ୍‌ରନ୍‌ ଗ୍ରୀନ୍‌ ୫୨ଟି ବଲ୍‌ରୁ ୫ଟି ଚୌକା ସହାତୟରେ ବ୍ୟକ୍ତିଗତ ଭାବେ ୪୭ ରନ୍‌ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ୩୨ଟି ବଲ୍‌ରୁ ୩ଟି ଚୌକା ଓ ୨ଟି ଛକା ବଳରେ ୩୫ ରନ୍‌ ଯୋଡ଼ିଥିଲେ। ପେଟ୍‌ କମିନ୍ସ ୧୩ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ୧୦ ରନ୍‌ କରିଥିଲେ। ମିଚେଲ ‌ଷ୍ଟାର୍କ ୧୦ ରନ୍‌ ଓ ଆଦାମ ଜାମ୍ପା ୨୯ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ୱକ୍ସ ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ମାର୍କ ଉଡ୍‌ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ଡେଭିଡ ୱିଲି ଏବଂ ଲିଆମ୍‌ ଲିଭିଂଷ୍ଟୋନ୍‌ଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

Leave A Reply