୨୨ କୋଟିରୁ ଉର୍ଦ୍ଧ୍ଵ ଠାକୁରମୁଣ୍ଡା-ବୈଶିଙ୍ଗା -ରୁପ୍ସା (ଏମଡିଆର-୭୦) ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ
ବେତନଟୀ : ପୂର୍ତ୍ତ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା-ଉଦଳା-ମାଣତ୍ରୀ-ବୈଶି ଙ୍ଗା-ରୁପ୍ସା (ଏମଡିଆର-୭୦) ରାସ୍ତାର ପ୍ରଶସ୍ତିକରଣ ସହ ନୂତନ କରି କାର୍ଯ୍ୟ ହେଉଛି। ଏହି ରାସ୍ତା ନିର୍ମାଣ ରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ତଥା ଅଭିଯୋଗକାରୀ ପ୍ରକାଶ କର ମହାପାତ୍ର, ରାଜେଶ ଶତପଥୀ, କଳ୍ପତରୁ ଜେନା, ଜନାର୍ଦ୍ଦନ ମଣ୍ଡଳ, ଦାମୋଦର ମହାନ୍ତ, ନୃସିଂହ ବିନ୍ଧାଣି ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି ସୋମବାର ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକଙ୍କ ବହୁ ଦିନର ଦାବି ପରେ ବର୍ତ୍ତମାନ ଉକ୍ତ ରାସ୍ତାଟି ବାରିପଦା ପୂର୍ତ୍ତ ବିଭାଗ ଡ଼ିଭିଜନ ଅଧୀନରେ ୨୨ କୋଟି ୯୫ଲକ୍ଷ ୭୦ହଜାର ୧୪୪ଟଙ୍କା ବ୍ୟୟ ଅଟକଳରେ ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇ ଅଦ୍ୟାବଧି ଏକ କୋଟି ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗରେ ଦର୍ଶାଯାଇଛି ।ଇ-ଟେଣ୍ଡର ପ୍ରକ୍ରିୟାରେ ଭାଗନେଇ ଏଗ୍ରିମେଣ୍ଟ ନମ୍ବର ୧୦୫ପି-୧ ଅଫ ୨୦୨୩ସିଇ ଅନୁଯାୟୀ ଠିକାଦାର କାର୍ଯ୍ୟ କରୁନଥିବାର ଅଭିଯୋଗ ଦର୍ଶାଯାଇଛି। ପୂର୍ବରୁ ପିଚୁ ରାସ୍ତାକୁ ସ୍କେପିଂ କରି ୬ ଇଞ୍ଚ ଉଚ୍ଚରେ ସିଲେକ୍ଟେଡ଼ ଆର୍ଥ ବା ମୁରୁମ ଦେଢ ଫୁଟ ପକାଇବାକୁ ଅନୁମୋଦିତ ବ୍ୟୟ ଅଟକଳ ମୂଲ୍ୟ ଓ ଚୁକ୍ତିପତ୍ରରେ ଥିବା ବେଳେ ତାହା କରା ନଯାଇ ମନମୁଖୀ ଭାବରେ ପିଚୁ ରାସ୍ତାକୁ ଅଳ୍ପ ସ୍କେପିଂ କରି ତା ଉପରେ ଅଳ୍ପ ମାଟି ପକାଇ ରୁଲିଂ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ଅନ୍ୟପକ୍ଷରେ ପୂର୍ବରୁ ଥିବା ୩.୭୫ ମିଟର ରାସ୍ତାକୁ ଓସାରିଆ କରି ୬.୫ ମିଟର ରାସ୍ତା କରିବାର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ମାତ୍ର ରାସ୍ତାର ଯେଉଁ ପାର୍ଟଟି ଓସାରିଆ ହେଉଅଛି ସେ ସ୍ଥାନକୁ ଯେତିକି ଖୋଳିବା କଥା ଖୋଳା ନଯାଇ କେବଳ ଜେସିବିରେ ରାମ୍ପିଦେଇ ରୁଲିଂ କରି ଅତ୍ୟନ୍ତ ନିମ୍ନମାନର ପ୍ରଶସ୍ତିକରଣ କାର୍ଯ୍ୟ ହେଉଛି। ରାସ୍ତାଟି ପୂର୍ବ ପିଚୁ ରାସ୍ତା ଠାରୁ ହାରାହାରି ୪.୫ ଫୁଟ ଅଧିକ ଉଚ୍ଚତା ହେବା ଜାଗାରେ ଠିକାଦାର କନିଷ୍ଠଯନ୍ତ୍ରୀ ଓ ସରକାରୀ ଯନ୍ତ୍ରୀ ବର୍ତ୍ତମାନ ମୋଟ ୨ ଫୁଟ ଉଚ୍ଚତା ମଧ୍ୟରେ ସିମିତ ରଖି ସମସ୍ତ ଟଙ୍କା ଆତ୍ମସାତ କରିବାର ଯୋଜନା କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଯାହାକୁ ନେଇ ସୂଚନା ଅଧିକାର ଜରିଆରେ ସ୍ଥାନୀୟ ଲୋକେ ଜାଣିବା ପରେ ଏନେଇ ଅଭିଯୋଗ କରିଛନ୍ତି। ଗଙ୍ଗାହାର ନଦୀର ଶାଖା ନଦୀ(କୁଣ୍ଡି)ର ଉଦବୃଦ୍ଧ ବନ୍ୟା ଜଳ ଏହିରାସ୍ତାର ମାଣତ୍ରୀ ନିକଟ ବିତନୁପୋଲ ଉପରେ ପ୍ରବାହିତ ହୁଏ । ବର୍ଷା ଋତୁରେ ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ହେଉ ଥିବା ବେଳେ ଉଚ୍ଚ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ଦାବି ମଧ୍ୟ ରହିଛି । ମାତ୍ର ପ୍ରଶସ୍ତି ଓ ଉନ୍ନତିକରଣ ସମୟରେ ସେ ସବୁକୁ ଅଣଦେଖା କରାଯିବା ଜନ ଅସନ୍ତୋଷ ସୃଷ୍ଟି କରୁଛି । ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଗଠନ କରାଯାଇ ଜନସାଧାରଣଙ୍କ ଉପସ୍ଥିତିରେ ତଦନ୍ତ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ନଚେତ୍ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ଆନ୍ଦଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।