ବାରିପଦା : ଶିକାରୀଙ୍କ କବଜାରେ ପଡ଼ି ଦିନକୁ ଦିନ ଶ୍ରୀହୀନ ହୋଇ ପଡ଼ୁଥିବା ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଶିମିଳିପାଳରେ ବନ୍ଧୁକ ମୁନରେ ଚାଲିଛି ଅବାଧ ବନ୍ୟ ପ୍ରାଣୀ ଶିକାର । ଆଉ ଏହାକୁ ବିରୋଧ କରୁଥିବା ତଥା ପେଟ୍ରୋଲିଂକୁ କଡ଼ାକଡ଼ି କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ । ଏହାକୁ ରୋକିବାକୁ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି । ଶିମିଳିପାଳରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ବେଳେ ମିଳିଛି ୭୧ଟି ବନ୍ଧୁକ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ମଧ୍ୟରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କର ମୃତୁ୍ୟପରେ ଆରମ୍ଭ ହୋଇଛି ଏହି ଶିମିଳିପାଳ ସୁରକ୍ଷା ଅଭିଯାନ । ବିଶେଷ କରି ଏଥିରେ ସର୍ଚିଂ ଅପରେସନ ଦ୍ୱାରା ପୋଲିସକୁ ବଡ଼ ସଫଳତା ମିଳିଛି । ବନ ବିଭାଗ ଓ ଜିଲ୍ଲା ପୋଲିସର ୩ ପ୍ଲାଟୁନ ପୋଲିସ ଫୋର୍ସ ଏହି ସର୍ଚିଂ ଅପରେସନରେ ନିୟୋଜିତ ରହିଛନ୍ତି । ତେଣୁ ଆଜିର ଏହି ସଫଳତାକୁ ନେଇ ବାରିପଦା ସ୍ଥିତ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଏସପି ଗଙ୍ଗାଧର ବାଟୁଲା । ଗତ ଦୁଇ ମାସ ମଧ୍ୟରେ ଶିମିଳିପାଳ ସଂଲଗ୍ନ ୧୩ଟି ଥାନା ଅଧିନରେ ଥିବା ବିଭିନ୍ନ ଅଞ୍ଚଳ ତଥା ଗାଁ ଗୁଡିକରୁ ସର୍ଚିଂ ଅପରେସନ ଦ୍ୱାରା ୭୧ଟି ଆଗ୍ନୟାସ୍ତ୍ର (ଦେଶୀବନ୍ଧୁକ) ଜବତ କରିଛି ପୋଲିସ । ସେଥିମଧ୍ୟରୁ ଗୋଟିଏ ଏୟାର ପିସ୍ତଲ ମଧ୍ୟ ରହିଛି । ତତ୍ସହିତ ଏକ ଯୋଡା ହରିଣ ସିଂଘ ମଧ୍ୟ ଜବତ ହୋଇଛି । ୧୩ଟି ଥାନାରେ ଏନେଇ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ୩୨ଟି ମାମଲା ରୁଜୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଥିରେ କାହାକୁ ଗିରଫ କରାଯାଇନାହିଁ । ସୂଚନା ଥାଉକି, ଶିକାରୀଙ୍କ ଆକ୍ରମଣରେ ଦୁଇ ବନ କର୍ମଚାରୀ ସହିଦ ହେବା ପରେ ପରେ ଜୁନ ୧୮ତାରିଖରୁ ପୁଲିସ ପକ୍ଷରୁ ଶିମିପାଳକୁ ଶିକାର ଓ ଶିକାରୀ ମୁକ୍ତ ପାଇଁ ୯ ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୩ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ରହିଥିଲେ । ସେହିପରି ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ଆତ୍ମ ସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ସମୟରେ ୪୦ଟି ମାମଲା ରୁଜୁ ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ହଜାର ଟଙ୍କା, ମୋବାଇଲ ଫୋନ, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସମସ୍ତ ଜବତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଜୀବାଂଶ ରିଜର୍ଭ ପୁଲିସ କାର୍ଯ୍ୟାଳୟ ପରିସରରେ ଅଗଷ୍ଟ ୯ତାରିଖରେ ପ୍ରଦର୍ଶିତ ହୋଇଥିଲା । ମୟୂରଭଞ୍ଜ ପୁଲିସ ଏହି ସଫଳତାକୁ ପୁଲିସ ମହାନିଦେ୍ର୍ଦଶକ ସୁନିଲ କୁମାର ବଂଶାଲ ନିଜେ ଉପସ୍ଥିତ ରହି ପ୍ରଶଂସା କରିଥିଲେ । ପୂର୍ବରୁ ପୁଲିସକୁ ଏଭଳି କୌଣସି ସଫଳତା ମିଳିନଥି ସେ ପ୍ରକାଶ କରିଥିଲେ । ଆଗକୁ ବନବିଭାଗ ସହ ଗଠିତ ଜଏଣ୍ଟ ଟାସ୍କଫୋର୍ସ ଶିମିପାଳକୁ ସୁରକ୍ଷା ଦେବା ପାଇଁ ଆହୁରୀ ଅଧିକ ପଦକ୍ଷେପ ଗ୍ରହଣ କରିବେ ବୋଲି ସେତେବେଳେ ଶ୍ରୀ ବଂଶାଲ କହିଥିଲେ । ଏଥିସହିତ ଶିମିଳିପାଳ କେବଳ ମୟୂରଭଞ୍ଜର ନୁହେଁ ଏହା ଓଡିଶାର ବୋଲି କହିଥିଲେ । ତଦ୍ନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ପୁଲିସକୁ ପୁଣି ସଫଳତା ମିଳିଛି । ଆଗକୁ ତଲାସୀ ଅଭିଯାନ ଜାରି ରହିବ । ଏଥିରେ ସ୍ଥାନୀୟ ସରପଞ୍ଚ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଶିକାର ଓ ଶିକାରୀ ସମ୍ବନ୍ଧରେ ସୂଚନା ଜାଣିଥିଲେ ପୁଲିସକୁ ଅବଗତ କରିବେ । ଅନ୍ୟଥା ବନ୍ୟପ୍ରାଣୀ ଆଇନ ଉଲଙ୍ଘନ ପାଇଁ ସେମାନେ ମଧ୍ୟ ଉତ୍ତରଦାୟୀ ରହିବେ ବୋଲି ଏସପି ପ୍ରକାଶ କରିଛନ୍ତି ।