Odisha news

ଦଶପଲ୍ଲା ଲଙ୍କାପୋଡ଼ି ୫ମ ସନ୍ଧ୍ୟା : ରାମ ବନବାସ ଓ ଭରତ ମିଳନ

0

ଦଶପଲ୍ଲା ୩/୪ : ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ୫ମ ଦିବସ ରେ ମୁଖ୍ୟ ମଞ୍ଚରେ ରାମ ବନବାସ ଓ ଭରତ ମିଳନ ନାଟକ ଅନୁଷ୍ଠିତ ହୋଇଯାଇଛି। ଏ ଅବସର ରେ ଠାକୁରଙ୍କ ରୀତି ନୀତି ଅନୁଯାୟୀ ଦିନବେଳେ ମନ୍ଦିର ପରିସରରେ ଶ୍ରୀରାମ ବନବାସ ଅନୁଷ୍ଠିତ ହୋଇଛି। ରାତିରେ ମୁଖ୍ୟ ମଞ୍ଚରେ ରାମଲୀଳା ଅଭିନୟ କଳାକାର ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ରାମାୟଣ କଥା ବସ୍ତୁ ଅନୁଯାୟୀ ଦଶରଥ ଆପଣାର ପାରିଷଦବର୍ଗଙ୍କ ମତାମତ ନେଇ ରାମଚନ୍ଦ୍ରଙ୍କୁ ଯୁବରାଜ ଭାବରେ ଅଭିଷେକ କରିବାକୁ ମନସ୍ଥ କରନ୍ତି। ସାରା ରାଜ୍ୟରେ ଏକ ରୋମାଞ୍ଚକର ତଥା ମଧୁର ବାତାବରଣ ଖେଳିଯାଏ। ମାତ୍ର ଏତିକିବେଳେ ମହାରାଣୀ କୈକେୟୀଙ୍କ ଦାସୀ ମନ୍ଥରା ଏକ ଚକ୍ରାନ୍ତ କରେ ଭରତଙ୍କୁ ରାଜା କରିବା ପାଇଁ। ପୂର୍ବେ ଶନିଶ୍ଚର ଯୁଦ୍ଧ ବେଳେ ମହାରାଣୀ କୈକେୟୀ ଦଶରଥଙ୍କ ସହାୟତା କରି ଦୁଇଟି ବରପ୍ରାପ୍ତ କରାଇଥିଲେ। ସେହି ବରରେ କୈକେୟୀ ଭରତଙ୍କୁ ରାଜା କରିବେ ଓ ଶ୍ରୀରାମଙ୍କୁ ବନବାସୀ କରିବାକୁ ପଠାଇଲେ। ପୁତ୍ର ମୋହରରେ ମୋହଗ୍ରସ୍ତ ହୋଇ ମହାରାଣୀ ରାଜା ଦଶରଥଙ୍କୁ ସତ୍ୟ କରାଇ ଦୁଇଟି ବର ତତକ୍ଷଣାତ୍ ମାଗିନେଲେ। ପ୍ରଥମ ବରରେ ଭରତ ରାଜା ହେବ ଓ ଦ୍ୱିତୀୟ ବରରେ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିବେ। ମହାରାଜା ଦଶରଥ ଏହାଶୁଣି ମର୍ମାହତ ହୁଅନ୍ତି। ମାତ୍ର ରାମଚନ୍ଦ୍ର ଏକଥା ଜାଣିପାରି ସ୍ବଇଚ୍ଛାରେ ବନଗମନ ପାଇଁ ବାହାରି ପଡ଼ନ୍ତି। ପତିବ୍ରତା ସୀତା ମଧ୍ୟ ବନଗମନ କରନ୍ତି। ହେଲେ ଏତେବଡ଼ ଦୁଃଖକୁ ରାଜା ଦଶରଥ ସହ୍ୟ କରିପାରନ୍ତି ନାହିଁ। ଶେଷରେ ସେ ଦାରୁଣ ଦୁଃଖରେ ମ୍ରିୟମାଣ ହୋଇ ପ୍ରାଣତ୍ୟାଗ କରନ୍ତି। ସେତେବେଳେ ଯୁବରାଜ ଭରତ ଓ ଶତ୍ରୁଘ୍ନ ମାମୁ ଘରେ ଥାଆନ୍ତି। ବାରତା ପାଇଁ ନଅରକୁ ପ୍ରତ୍ୟାବର୍ତ୍ତନ କରି ଦୁଃଖରେ ଭାଙ୍ଗି ପଡ଼ନ୍ତି ଓ ମନ୍ଥରାକୁ ଦଣ୍ଡ ଦିଅନ୍ତି। ଶେଷରେ ପିତୃକାର୍ଯ୍ୟ, ଶୃଦ୍ଧିକ୍ରୀୟା ସମାପନ ପରେ ଚତୁରାଙ୍ଗ ବଳନେଇ ଚିତ୍ରକୁଟ ଗମନ କରନ୍ତି। ଶ୍ରୀରାମଙ୍କୁ ଫେରାଇ ଆଣିବା ପାଇଁ ଚିତ୍ରକୁଟରେ ଶ୍ରୀରାମ-ଭରତ ମିଳନ ହୁଏ। ମାତ୍ର ଶ୍ରୀରାମ ପ୍ରତ୍ୟାବର୍ତ୍ତନ କରିବାକୁ ମନା କରନ୍ତି। ଭରତ ଶ୍ରୀରାମଙ୍କ କଠଉ ନେଇ ଫେରି ଆସନ୍ତି। କଠଉକୁ ସିଂହାସନରେ ବସାଇ ନିଜେ ସନ୍ନ୍ୟାସୀ ପରି ନଦି ଗ୍ରାମରେ ରହି ରାଜ୍ୟଭାର ଦେଖାଶୁଣା କରନ୍ତି। ଏଭଳି ଦୃଶ୍ୟ ଉପସ୍ଥିତ ଦର୍ଶକମାନେ ବେଶ ଉପଭୋଗ କରିଥିଲେ।

Govt
Leave A Reply