Odisha news

୪ ବର୍ଷର ଶିଶୁକୁ ସିଗାରେଟ ନିଆରେ ଚେଙ୍କ ଦେବା ଘଟଣା : ମା ଓ ସମ୍ପର୍କୀୟ ମାମୁଁ ବନ୍ଧାହୋଇ ଜେଲଗଲେ

0

ଚଣ୍ଡିଖୋଲ,୧୬/୦୩ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଛତିଆ ଗୋପପୁର ଅଞ୍ଚଳରେ ଜଣେ ୪ବର୍ଷର ଶିଶୁକୁ ତା’ର ମା ଓ ସମ୍ପର୍କୀୟ ମାମୁଁ ଅତି ନିଷ୍ଠୁରଭାବେ ଶାରୀରିକ ନିର୍ଯାତନା ଦେବା ସହିତ ସିଗାରେଟ ନିଆରେ ଶିଶୁଟି ଦେହରେ ଶହେରୁ ଅଧିକ ଚେଙ୍କଦେବା ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି! ଶିଶୁକୁ ଚେଙ୍କଦେଇ ଗୁରୁତର କରିଥିବା ତା’ ମା ରଶ୍ମୀ ମହାପାତ୍ର ଓ ସମ୍ପର୍କୀୟ ମାମୁଁ କମଳାକାନ୍ତ ମହାପାତ୍ରଙ୍କୁ ବୈରୀ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବାପରେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ଯିବାକୁ ପଡିଛି! ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି! ଗତ ରବିବାର ଦିନ ରଶ୍ମୀ ଓ କମଳାକାନ୍ତ ମିଶି ପାଠପଢା ଆଳରେ ଶିଶୁଟିକୁ ଭିଷଣ ମାଡଦେବା ସହ ତା’ ଦେହରେ ସିଗାରେଟ ନିଆରେ ଚେଙ୍କ ଦେଇଥିଲେ! ଏହି ଘଟଣା ପ୍ରଘଟ ହେବାପରେ ଛତିଆ ଫାଣ୍ଡି ପୋଲିସ ହସ୍ତକ୍ଷେପରେ ଜିଲ୍ଲା ଶିଶୁ ସୁରକ୍ଷା ଟିମ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାରକରି ନିଜ ହେପାଜତକୂ ନେଇଥିଲେ ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବୈରୀ ଥାନାରେ ଏତଲା ଦାୟର କରିଥିଲେ!

ଯାହାକୁ ଭିତିକରି ବୈରୀ ଥାନାରେ ପୋଲିସ ୪୪/୨୪ ନମ୍ବରରେ ଏକ ମାମଲା ପଞ୍ଜିକରଣ କରି ବୁଧବାରଦିନ ଉଭୟ ଅଭିଯୁକ୍ତଙ୍କୁ ଥାନାକୁ ଡାକି ପଚରା କରିବାପରେ ଆଜି ୩୦୭ ଦଫାରେ ସେମାନଙ୍କୁ ଗିରଫକରି ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲା! ବିଚାରପତି ସେମାନଙ୍କ ଜାମିନ ଖାରଜକରି ୧୪ ଦିନ ପାଇଁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦେଇଛନ୍ତି! ପ୍ରକାଶ ଥାଉକି,ବଡଚଣା ବ୍ଳକ କାଇମାଟିଆ ଗ୍ରାମର ରଶ୍ମୀ ମହାପାତ୍ର ୪ବର୍ଷର ଶିଶୁପୁତ୍ର ଓ ତାଙ୍କ ବଡବାପା ପୁଅ ସମ୍ପର୍କୀୟ ଭାଇ କମାଳାକାନ୍ତ ମହାପାତ୍ର ସହ କିଛିଦିନ ହେବ ଛତିଆ ଗୋପପୁର ଠାରେ ଭଡାଘରେ ରହୁଥିଲେ! ତେବେ କୌଣସି କାରଣରୁ ରଶ୍ମୀ ନିଜପୁଅ ପ୍ରତି କିଛିଦିନ ହେବ ସ୍ନେହ ଶ୍ରଦ୍ଧାରେ ଉଣାକରି ତାକୁ ଅଣଦେଖା କରିଆସୁଥିଲେ! କୋମଳମତି ଶିଶୁଟି ଏକଥା ଜାଣିବା ସମ୍ଭବ ହୋଇନଥିବା ବେଳେ ରବିବାର ଦିନ ପାଠପଢା ଆଳରେ ରଶ୍ମୀ ଓ କମଳାକାନ୍ତ ମିଶି ଶିଶୁଟିକୁ ନିର୍ଦୟଭାବେ ମାଡ ମାରିବା ସହ ତା ଦେହର ଶହେରୁ ଉର୍ଦ୍ଧ୍ବ ସ୍ଥାନରେ ସିଗାରେଟ ନିଆର ଚେଙ୍କ ଦେଇଥିଲେ!

ଫଳରେ ଶିଶୁଟିର ଦେହ ଜଳି ଜିବାସହ ତା ଦେହସାରା ଫଟକା ହୋଇଯାଇଥିଲା! ଯନ୍ତ୍ରଣା ଯୋଗୁଁ ଶିଶୁଟି ଛଟପଟ ହୋଇ ଭିଷଣ କାନ୍ଦିଥିଲା! ପଡୋଶୀ ଏହାଦେଖି ଛତିଆ ଫାଣ୍ଡିକୁ ଜଣାଇବା ପରେ ପୋଲିସ ଆସି ଶିଶୁଟିକୁ ଫାଣ୍ଡିକୁ ନେଇଥିଲେ! ପରେ ସ୍ଥାନୀୟ ଛତିଆ ,ନେଳିଆ ଓ କାଇମାଟିଆ ସରପଞ୍ଚଙ୍କ ସହାୟତାରେ ଜିଲ୍ଲା ଶିଶୁ ସୁରକ୍ଷା ଟିମକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା! ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଟିମ ଏଠାରେ ପହଞ୍ଚି ଶିଶୁଟିକୁ ନିଜ ହେପାଜତକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା ପାଇଁ ଭର୍ତି କରିଥିଲେ!ଏବେ ମଧ୍ୟ ସେଠାରେ ଶିଶୁଟିର ଚିକିତ୍ସା ଚାଲିଛି ଓ ତା’ର ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡିଛି! ଏହି ଘଟଣାକୁ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅତି ଗୁରୁତର ସହ ଗ୍ରହଣକରିଥିବା ଜଣାପଡିଛି!

Govt
Leave A Reply