Odisha news

ଭଞ୍ଜନଗର ଆମ ପୋଲିସ ସମିତିର ୭୧ତମ ବୈଠକ

0

ଭଞ୍ଜନଗର,୩୧/୧(Amarendra Pattanaik)ଭଞ୍ଜନଗର ଆମ ପୋଲିସ ସମିତିର ୭୧ତମ ବୈଠକ ସହରର ଭେଜିପୁଟ ବଡଦାଣ୍ଡ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଥାନା ଅଧିକାରୀ ଧୀରେଶ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଆମ ପୋଲିସ ସମିତିର ବରିଷ୍ଠ ସଦସ୍ୟ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତି୍ରପାଠୀ, ପ୍ରଫେସର କୃତିବାସ ବିଶ୍ୱାଳ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଗୀତା ସୁବୁଦ୍ଧିଙ୍କ ସମେତ ୨ଜଣ କାଉନସିଲର ଉପେନ୍ଦ୍ର କୁମାର ପ୍ରଧାନ ଓ ଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅବସରପ୍ରାପ୍ତ ରେଞ୍ଜର୍ ଅନୁପମ ବାନାର୍ଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମଞ୍ଚାସୀନ ଆମ ପୁଲିସ ସମିତିର ସଦସ୍ୟମାନେ ବ୍ୟାପକ ସଚେତନତା ସତ୍ୱେ ଏବେ ବୃଦ୍ଧ ଅବସ୍ଥାରେ ବାପାମାଆଙ୍କୁ ପୁଅମାନେ ଘରୁ ବାହାର କରିଦେବା ଓ ସେମାନଙ୍କୁ ଅନାଥ ଆଶ୍ରମ ଭଳି ସ୍ଥାନରେ ରହିବାକୁ ବାଧ୍ୟ କରୁଥିବା ଭଳି ଅନେକ ଖବର ଏବେ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । ବାପାମାଆଙ୍କୁ ଅନେକ ପଚାରୁ ନାହାନ୍ତି । ତେବେ ଏବେ ଏଥିପାଇଁ ଆଇନରେ ପରିବର୍ତ୍ତନ କରାଯାଇଛି । ଏଣିକି ବୃଦ୍ଧ ପିତାମାତାଙ୍କୁ ପିଲାମାନେ ଦେଖାଶୁଣା କରିବାକୁ ବାଧ୍ୟ ହେବେ । ତାନହେଲେ ସେମାନଙ୍କ ସମ୍ପତ୍ତିରୁ ପରିବାର ସଦସ୍ୟ ବେଦଖଲ ହେବେବୋଲି ସଦସ୍ୟମାନେ ଉଲ୍ଲେଖ କରିଥିଲେ ।

ସେହିପରି ଯୁବ ପିଢୀ ଆମ ଦେଶ ଓ ଆମ ରାଜ୍ୟର ସମ୍ପତ୍ତି । ସେମାନେ କୁସଙ୍ଗରେ ପଡି ବିପଥଗାମୀ ହେବା ଉଚିତ ନୁହଁ । ଏହାଦ୍ୱାରା ସେମାନଙ୍କ ଭବିଷ୍ୟତ ନଷ୍ଟ ହେବା ସହ ଆମ ସମାଜର ବିକାଶରେ ବାଧା ସୃଷ୍ଟି ହେବ । ସମସ୍ତ ପ୍ରକାର ସଚେତନତା ସତ୍ୱେ ଅନ୍ଧବିଶ୍ୱାସ ଭଳି କୁପ୍ରଥାକୁ ଏବେବି ଅନେକ କ୍ଷେତ୍ରରେ ଆମ ସମାଜ ଭି ତରେ ଦେଖିବାକୁ ମିଳୁଛି । ଏହା ହେବା ଉଚିତ ନୁହଁ । କୂଳ ରୀତିନୀତି କୁ ପାଥେୟ କରି ଅନେକ ସ୍ଥାନରେ କଙ୍ଗାରୁ କୋର୍ଟରେ ନୀରିହ ଜନସାଧାରଣଙ୍କୁ ବାସନ୍ଦ କରାଯାଉଛି । ଏଭଳି କୁତ୍ସିତ ପ୍ରଥା ବନ୍ଦ ହେବା ଉଚିତ । ଏହା ଆମ ବିକାଶରେ ବାଧକ ଅଟେ । ସେହିପରି ଆଜିକାଲି ସାଇବର ଠକେଇର ଅନେକ ଲୋକ ଶୀକାର ହେଉଛନ୍ତି । ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍ ଆସି ଲୋକଙ୍କୁ ଭୂଆଁ ବୁଲାଇ ସେମାନଙ୍କ ବ୍ୟାଙ୍କ ଡାଟା ମାଗି ନେବାସହ ଲୋକଙ୍କ କଷ୍ଟଅର୍ଜିତ ସମ୍ପତ୍ତିକୁ ନିମିଷକ ମଧ୍ୟରେ ହଡପ କରି ନେଉଛନ୍ତି । ଏଣୁ ଜନସାଧାରଣ ଏଥିପ୍ରତି ସତର୍କ ରହିବା ସହ କେବେବି କାହାକୁ ବ୍ୟାଙ୍କ ସମ୍ବନ୍ଧୀୟ ଡାଟା ନଦେବାକୁ ଆମ ପୁଲିସ ସମିତି ସଦସ୍ୟମାନେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆମ ପୁଲିସ ସମିତି ପକ୍ଷରୁ ସଦସ୍ୟ ଲକ୍ଷ୍ମୀପ୍ରିୟା ସେନାପତି,ସନ୍ତୋଷ କୁମାର ଜେନା, ରବି ନାରାୟଣ ମହାନ୍ତି,ଲବଙ୍ଗଲତା ବେହେରା ଓ ବିଶ୍ୱମ୍ବର ଜେନାଙ୍କ ସମେତ ଅଧିକାଂଶ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷରେ ସୁଶାନ୍ତ ମହାପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Govt
Leave A Reply