ବେତନଟୀ/ବୈଶିଙ୍ଗା : ରୂପସା ଜଂ. ରୁ ବାଙ୍ଗିରିପୋଷି ରେଳ ଷ୍ଟେସନ ମଧ୍ୟରେ ଯୁଗୁପୁରା ରେଳ ଷ୍ଟେସନଟି ବହୁତ ବ୍ୟସ୍ତ ବହୁଳ ହୋଇଥିଲେ ମଧ୍ୟ ବ୍ରଡଗେଜ ଲାଇନ ହେବା ଠାରୁ ଏଠାରେ କୌଣସି ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା ହୋଇନଥିଲା କିମ୍ଵା ଯାତ୍ରୀଙ୍କ ପାଇଁ ଉଚ୍ଚା ଫୁଟୱେ ନ ଥିବାରୁ ଟ୍ରେନରୁ ଓହ୍ଲାଇବା ଏବଂ ଉଠିବା ପାଇଁ କଷ୍ଟସାଧ୍ଯ ହେଉଥିଲା। ଆଲୋକ ଅଭାବରୁ ରାତ୍ରୀ ସମୟରେ ଯାତ୍ରୀ ମାନଙ୍କୁ ରାତ୍ରୀରେ ହଇରାଣ ହେବାକୁ ପଡୁଥିଲା। ବିଶ୍ରାମଗାର ନ ଥିବାରୁ ଯାତ୍ରୀ ମାନେ ଦଣ୍ଡାୟ ମାନ ହେବା ସହିତ ଖରା ବର୍ଷା ଦାଉରୁ ରକ୍ଷାପାଇ ପାରୁନଥିଲେ। ବାରମ୍ଵାର ଏହି ଅଭିଯୋଗ ରେଲୱେ ବିଭାଗକୁ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ। ଯାତ୍ରୀ ମାନଙ୍କର ଏହି ଅସୁବିଧାକୁ ଲକ୍ଷ୍ୟ କରି ୨୦୨୧ ମସିହା ଡିସେମ୍ବର ୨୪ ତାରିଖରେ ତତକାଳୀନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସନ୍ଧ୍ୟା ସମୟରେ ଯୁଗୁପୁରା ରେଲୱେ ଷ୍ଟେସନରେ ପହଞ୍ଚି ଷ୍ଟେସନର ସମସ୍ତ ପ୍ରକାରର ଉନ୍ନତି କରଣ ପାଇଁ ୨.୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ଆଲୋକିକରଣ କାମ ସରିଯାଇଥିଲେ ମଧ୍ୟ ଆଲୋକ ନ ଜଳିବା ଯୋଗୁଁ ସନ୍ଧ୍ୟା ହେବା ପରେ ଅସମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଥିଲା।ଏଥି ପାଇଁ ବୈଶିଙ୍ଗା ପୁଲିସ ସମିତି ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏହି ବିଷୟକୁ ନେଇ ରେଲୱେ ବିଜୁଳି ବିଭାଗୀୟ ଉପଖଣ୍ଡ ଅଧିକାରୀ ଶମ୍ଭୁଦେବ ଆଚାର୍ଯ୍ୟଙ୍କୁ ଅବଗତ କରାଇଥିଲେ। ଏହି ଅଭିଯୋଗ ପାଇବା ପରେ ଉକ୍ତ ପ୍ରକଳ୍ପ ଚାଲୁରହିଥିବା ବେଳେ ଆଲୋକିକରଣ କାମ ସରିଯାଇଥିବାରୁ ଗତ କାଲି ସନ୍ଧ୍ୟାରେ ଏହି ଉଜ୍ଜ୍ୱଳ ଆଲୋକ ଗୁଡ଼ିକୁ ଯାତ୍ରୀଙ୍କ ସୁବିଧା ପାଇଁ ଉତ୍ସର୍ଗୀକୃତ କରାଯାଇଥିଲା। ଆଲୋକିକରଣ ହେବା ଯୋଗୁଁ ରାତ୍ରୀରେ ଅସାମାଜିକଙ୍କ କାର୍ଯ୍ୟକଳାପ କମିବ ବୋଲି ଆଶା କରାଯାଉଛି।