Odisha news

ଶ୍ରୀକ୍ଷେତ୍ରରେ ପବିତ୍ର ହେରା ପଞ୍ଚମୀ ନୀତି ଅନୁଷ୍ଠିତ, ଆସନ୍ତା କାଲି ତିନି ରଥ ଦକ୍ଷିଣ ମୋଡ଼ ହେବ।

0

ପୁରୀ: ଆଷାଢ଼ ମାସ ଶୁକ୍ଳ ପକ୍ଷ ପବିତ୍ର ପଞ୍ଚମୀ ତିଥି ଅବସରରେ ଗୁଣ୍ଡିଚା ମନ୍ଦିରରେ ଆଜି ରାତ୍ରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ଅଭିମାନୀନି ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ହୋଇ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଭାଙ୍ଗିଛନ୍ତି । ହେରା ପଞ୍ଚମୀ ନୀତି ଅବସରରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜମାନ କରି ଥିବା ବିଗ୍ରହ ମାନଙ୍କର ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହୋଇଛି । ଏଥି ସହ ବିଗ୍ରହ ମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ମାଆ ମହାଲକ୍ଷ୍ମୀ  ରାତିରେ ଶ୍ରୀମନ୍ଦିରରରୁ ବିମାନରେ ବସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖା  କରିବା ନିମନ୍ତେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଇ ଥିଲେ। ମହାଲକ୍ଷ୍ମୀଙ୍କ ଆଗମନ ସମୟରେ ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇ ଥିଲା।

ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ନିକଟରେ ଅଟକି ଥିଲେ। ସେଠାରେ ପତିମହାପାତ୍ର ସେବାୟତ ମାଆ ମହାଲକ୍ଷ୍ମୀଙ୍କୁ କର୍ପୁର, ବଳିତା ଓ ଚାଉଳ ଆଦି ବନ୍ଦାପନା କରି ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ ଚୁମ୍ବିତ ଆଧରମାଲା ମାଆ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରା ଯାଇଥିଲା। ମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖା କରିବା ପାଇଁ ଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ଥିଲେ। ତେବେ ସନ୍ଧ୍ୟା ଆଳତି ଯୋଗୁଁ ଟେରା ପଡ଼ି ଥିବାରୁ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଖା ପାଇ ଥିଲେ। ଫଳରେ ରାଗ ଜର୍ଜରିତ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନାକ ଚଣା ଦ୍ଵାର ଦେଇ ପ୍ରସ୍ଥାନ କରି ଥିଲେ। ଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ ରାଗରେ ମହାଲକ୍ଷ୍ମୀ ବାଟରେ ନନ୍ଦିଘୋଷ ରଥ ଚକ ଭାଙ୍ଗି ସେଠାରୁ ସିଧା ମେଡ଼ିକାଲ ଛକ ଦେଇ ହେରା ଗୋହିରି ସାହି ସେହି ଶ୍ରୀ ମନ୍ଦିରକୁ ପ୍ରସ୍ଥାନ କରି ଥିଲେ। ଆସନ୍ତା କାଲି ବିଗ୍ରହ ମାନଙ୍କର ତିନି ରଥ ଦକ୍ଷିଣ ମୋଡ଼ ନୀତି ଅନୁଷ୍ଠିତ ହେବ। ଆସନ୍ତା ୮ ତାରିଖରେ ଗୁଣ୍ଡିଚା ମନ୍ଦିରରେ ବିଗ୍ରହ ମାନଙ୍କର ପବିତ୍ର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଜୁଲାଇ ୯ ତାରିଖ ଦଶମୀ ତିଥିରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ। ୧୦ ତାରିଖ ଏକାଦଶୀ ତିଥିରେ ରଥ ଉପରେ ବିଗ୍ରହ ମାନଙ୍କର ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବ।  ୧୨ ତାରିଖରେ ବିଗ୍ରହ ମାନଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Leave A Reply