ପୁରୀ: ଶନିବାର ସନ୍ଧ୍ୟାରେ ରଥାରୂଢ଼ ବିଗ୍ରହମାନେ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଜନ୍ମ ବେଦୀକୁ ପହଣ୍ଡି ବିଜେ କରି କରିଛନ୍ତି।
ରଥ ଉପରେ ବିଗ୍ରହମାନଙ୍କର ବିଭିନ୍ନ ନୀତି କାନ୍ତି ତଥା ସନ୍ଧ୍ୟା ଧୂପ ପରେ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇ ଥିଲା। ଘଣ୍ଟଆ ମାନଙ୍କର ଘଣ୍ଟ ଘଣ୍ଟା କାହାଳୀରେ ପ୍ରକମ୍ପିତ ହୋଇ ଥିଲା ଗୁଣ୍ଡିଚାମନ୍ଦିର ଚତୁର ପାର୍ଶ୍ଵ । ସୃଷ୍ଟି ହୋଇ ଥିଲା ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠି ଥିଲା ଗୁଣ୍ଡିଚା ମନ୍ଦିର ସମ୍ମୁଖ। ପହଣ୍ଡି ବିଜେ ପାଇଁ ବାଜି ଥିଲା ବିଜେ କାହାଳୀ।
ଘଣ୍ଟ ଘଣ୍ଟା ବାଦ୍ୟର ତାଳେ ତାଳେ ଦଇତାପତି ସେବକ ମାନେ ବିଗ୍ରହ ମାନଙ୍କୁ ପହଣ୍ଡି ବିଜେ କରି ଥିଲେ। ପ୍ରଥମେ ମହାପ୍ରଭୁ ମଦନ ମୋହନ ରାମକୃଷ୍ଣ ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରି ଥିଲେ। ଏହା ପରେ ମହାପ୍ରଭୁ ଚକ୍ରରାଜ ସୁଦର୍ଶନ ପହଣ୍ଡି ବିଜେ ହୋଇ ଥିଲେ। ପରେ ମହାପ୍ରଭୁ ବଡ଼ ଠାକୁର ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ପହଣ୍ଡି ବିଜେ ହୋଇ ଥିଲେ। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ବିଗ୍ରହମାନେ ମୁଣ୍ଡରେ ସୋଲ ନିର୍ମିତ ଟାହିଆ ପିନ୍ଧି ଝୁଲି ଝୁଲି ପହଣ୍ଡି ହୋଇ ବିଜେ କରି ଥିଲେ। ସନ୍ଧ୍ୟା ୫ ଟା ୩୦ ମିନିଟରୁ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇ ରାତ୍ର ୧୦ ସୁଦ୍ଧା ଶେଷ ହୋଇ ଥିଲା।
ଉଜ୍ବଳ ଆଲୋକରେ ଝଲସି ଉଠି ଥିଲେ ରଥାରୂଢ଼ ବିଗ୍ରହ ମାନେ। ଯାହା ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦେଖା ଯାଉଥିଲେ। ବିଗ୍ରହମାନଙ୍କ ପହଣ୍ଡି ଦେଖିବା ପାଇଁ ରଥ ଚତୁର ପାର୍ଶ୍ଵରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ତିନି ରଥ ଚତୁର ପାର୍ଶ୍ଵରେ ବ୍ୟାରିକେଡ଼ ବ୍ୟବସ୍ଥା କରା ଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପହଣ୍ଡି ସମୟରେ ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡକ୍ଟର କନୱର ବିଶାଲ ସିଂହ, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଚରଣ ଭୋଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିବାର ଦେଖା ଯାଇ ଥିଲା। ଆସନ୍ତା କାଲି ଠାରୁ ଗୁଣ୍ଡିଚା ମନ୍ଦିର ରେ ଆଡ଼ପ ମଣ୍ଡପ ମହାପ୍ରସାଦ ମିଳିବ।