ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ପାଳିତ ସ୍ମୃତି ଉଦ୍ଧେଶ୍ୟରେ ଖୋଲିଲା ସ୍କାଉଟ ଟ୍ରୁପ୍ ଓ ଗାଇଡ଼ କମ୍ପାନୀ
ଦଶପଲ୍ଲା ୩୧/୫ : ମଙ୍ଗଳାବର ଦିନ ଦଶପଲ୍ଲାର ପୂର୍ବତନ ସାଂସଦ ତଥା ବିଧାୟକ ସ୍ୱର୍ଗତ ରୁଦ୍ରମାଧବ ରାୟ ଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟରେ ସ୍ଵର୍ଗତ ରାୟଙ୍କ ସ୍ମୃତି ଉଦ୍ଧେଶ୍ୟରେ ରୁଦ୍ର ମାଧବ ରାୟ ସ୍କାଉଟ ଟ୍ରୁପ୍ ଓ ତାଙ୍କ ସହଧର୍ମିଣୀ ଶାନ୍ତିଲତା ରାୟଙ୍କ ଉଦ୍ଧେଶ୍ୟରେ ଏକ ଗାଇଡ଼ କମ୍ପାନୀ ଉଦଘାଟିତ ହୋଇଯାଇଛି। ଏ ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ୱର୍ଗତ ଶ୍ରୀ ରାୟଙ୍କ ପୁତ୍ର ବିଦୀପ୍ତ କୁମାର ରାୟ ଯୋଗ ଦେଇଥିବା ବେଳେ ସମ୍ନାନିତ ଅତିଥି ଭାବେ ଦଶପଲ୍ଲା ଏନ ଏ ସିର ସାଂସଦ ପ୍ରତିନିଧି ସଂଯୁକ୍ତା ଦଶଗୁପ୍ତା , ସମାଜସେବୀ ଦିଲ୍ଲୀପ କୁମାର ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ପଟ୍ଟନାୟକ, କାଉନସିଲର ବୀଣାପାଣି ପାଣି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିରଞ୍ଜନ ବେହେରା, ଦଶପଲ୍ଲା ଆଇ ଟି ଆଇ କଲେଜର ଅଧ୍ୟକ୍ଷ ବିଶ୍ଵମୋହନ ମହାରଣା ପ୍ରମୁଖ ଯୋଗଦେଇ ସ୍କାଉଟ ଟ୍ରୁପ୍ ଓ ଗାଇଡ଼ କମ୍ପାନୀର ଉଦଘାଟନ କରିଥିଲେ। ଏହି ସଭାରେ ସ୍ୱର୍ଗତ ଶ୍ରୀ ରାୟଙ୍କ ରାଜନୈତିକ ଜୀବନ ସମ୍ପର୍କରେ ଆଲୋଚନା କରାଯିବା ସହ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ସ୍କାଉଟ ଫାଉଣ୍ଡର ତଥା ଚିଫ ଗାଇଡ଼ ଲେଡି ବନ୍ଦନ ପାୱାର ଓ ସ୍ୱର୍ଗତ ରୁଦ୍ରମାଧବ ରାୟଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରିବା ପରେ ନୟାଗଡ଼ ଜିଲ୍ଲା ସ୍କାଉଟ ଗାଇଡ଼ କମିଶନର ସୁପ୍ରିୟା ଶ୍ରୀଚନ୍ଦଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରାଯାଇ ଥିଲା। ପରେ ପରେ ସ୍କାଉଟ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏ ଅବସରରେ ଅଂଶ ଗ୍ରହଣ କରିଥିବା ସମସ୍ତ ସ୍କାଉଟ ଓ ଗାଇଡ଼ର ଛାତ୍ରଛାତ୍ରୀ ମାନଙ୍କୁ ସ୍କାର୍ଫ ଇଗୁଲ ଟୋପି ପ୍ରଦାନ କରାଯାଇଥିବା ବେଳେ ଆଗକୁ କିପରି ସେବା ମନୋବୃତ୍ତି ନେଇ କାର୍ଯ୍ୟ ସମ୍ପାଦନ କରିବେ ସେ ନେଇ ଶପଥ ପାଠ କରାଯାଇଥିଲା। ଏସମସ୍ତ କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ସ୍କାଉଟ ଶିକ୍ଷକ ସୁଦାମ ପ୍ରଧାନ, ସଂଗ୍ରାମ କେଶରୀ ଜେନା, ଅଶୋକ ପ୍ରଧାନ ଓ ରବୀନ୍ଦ୍ର ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅବିଭାବକ , ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଠିକ୍ ସେହପରି ଦଶପଲ୍ଲା ବ୍ଲକ ଦିଣ୍ଡାଭୂଇଁ ଠାରେ ଥିବା ସ୍ବର୍ଗତ ରାୟ ଙ୍କ ପ୍ରତି ମୂର୍ତି ରେ ଦଶପଲ୍ଲା ବିଧାୟକ ମାଲ୍ୟାର୍ପଣ କରିଥିବା ବେଳେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଙ୍କ ସମେତ ଉପସ୍ଥିତ ଅତିଥି ମାନେ ସ୍ବର୍ଗତ ରାୟ ଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ନୂଆଗାଁ ଡାକବଙ୍ଗଳା ଠାରେ ବିଧାୟକ ଙ୍କ ନେତୃତ୍ୱରେ ଶ୍ରଦ୍ଧାଅଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ବହୁ ଅନୁଗାମୀ ଯୋଗ ଦେଇ ସ୍ବର୍ଗତ ରାୟ ଙ୍କ ସ୍ମୃତିଚାରଣ କରିଥିଲେ ।