ବଡ଼ବିଲ : ବଡ଼ବିଲ ପୋଲିସ ଏବଂ ମଟର ଯାନ ନିରୀକ୍ଷକଙ୍କ ମିଳିତ ଆନୁକୂଲ୍ୟରେ ମଟର ଯାନ ଗୁଡିକୁ ନିରୀକ୍ଷଣ କରାଯାଇଥିଲା । ଭଦ୍ରାସାହି ଛକ ଉପରେ ଗତ ୩୦ ତାରିଖ ରାତ୍ରୀ ସମୟରେ ସମସ୍ତ ଭାରୀ ତଥା ହାଲୁକା ଯାନ ଗୁଡିକର ନିରୀକ୍ଷଣ କରାଯାଇଥିଲା । ଏହି ସମୟରେ ଯାନ ମାନଙ୍କର କାଗଜପତ୍ର ଯାଂଚ ସହ ଚାଳକ ମାନଙ୍କର ମାନସିକ ଭାରସାମ୍ୟକୁ ଫୁଙ୍କରଣୀ ଯନ୍ତ୍ରର ସହାୟତା ନେଇ ଶରୀରରେ ଆଲକୋହୋଲର ମାତ୍ରାକୁ ଯାଂଚ କରାଯାଇଥିଲା ।
ଏହି କ୍ରମରେ ୫ ଜଣ ଚାଳକଙ୍କ ଶରୀରରେ ମାତ୍ରାଧିକ ଆଲକୋହୋଲ ଅଂଶ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇ ଥିଲା । ସେମାନେ ଚଳାଉଥିବା ଭାରୀଯାନ ଗୁଡିକୁ ମଧ୍ୟ ମଟର ଯାନ ଅଧିନିୟମ ଅନୁସାରେ ଜବଦ କରାଯାଇଛି ।ଗିରଫ ହୋଇଥିବା ୫ ଜଣ ମଦୁଆ ଚାଳକଙ୍କୁ ବଡବିଲ ଜେଏଫଏମସି ଅଦାଲତକୁ ଚାଲାଣ କରାଯାଇଥିବାର ବଡବିଲ ଥାନାଧିକାରୀ ଶୁଶାନ୍ତ ଦାଶ ସୂଚନା ଦେଇଛନ୍ତି ।
ଦିନକୁ ଦିନ ମଦ୍ୟପ ଭାରୀଯାନ ଚାଳକଙ୍କ ଦ୍ୱାରା ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଏହିପରି କଢାକଡି ଯାଂଚ ଆଗକୁ ଜାରୀ ରହିବ ବୋଲି ଜଣା ପଡିଛି । ଏହି ଯାଂଚ ପ୍ରକ୍ରିୟାରେ ରାତ୍ରୀକାଳୀନ ଯାତ୍ରୀବାହୀ ବସ ଚାଳକ ମାନଙ୍କର ବି ବାଧ୍ୟତା ମୂଳକ ଶରୀରରେ ଆଲକୋହୋଲର ମାତ୍ରାର ପରୀକ୍ଷଣ କରାଗଲେ ଯାତ୍ରୀମାନଙ୍କର ଜୀବନ ସୁରକ୍ଷିତ ରହି ପାରିବ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଥିବାର ଜଣା ପଡିଛି ।