ବୁଗୁଡ଼ା : ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ୍ ବୁଗୁଡ଼ା ଶାଖା ପକ୍ଷରୁ ଆଜି ୬ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ସଂଘର ଦାବିଗୁଡିକ ମଧ୍ୟରେ ନିଜ ସେକ୍ଟରର କର୍ମୀମାନଙ୍କୁ ଅକଥନୀୟ ହଇରାଣ ହରକତ କରୁଥିବା ଅଞ୍ଚଳ ପରିଦର୍ଶିକା ସରସ୍ବତୀ ତ୍ରିପାଠୀଙ୍କ ଦୁଇ ଦୁଇ ଥର ବଦଳି ପାଇଁ ଚିଠି ହୋଇଥିଲେ ସୁଦ୍ଧା ତାଙ୍କୁ ଏଠାରୁ ରିଲିଫ କରିବାରେ ଆଉ ବିଳମ୍ବ ନକରି ତାଙ୍କର ବଦଳି କରାଯାଉ , କେତେକ କେନ୍ଦ୍ରର କାର୍ଯ୍ୟ ପରିଚାଳନା ଅଙ୍ଗନୱାଡି କର୍ମୀଙ୍କ ନିଜସ୍ବ ଗୃହ କିମ୍ବା ଭଡା ଘରେ ହେଉଥିବାରୁ ସେଗୁଡିକୁ ଚିହ୍ନଟ କରି ନିକଟସ୍ଥ ବିଦ୍ୟାଳୟରେ କାର୍ଯ୍ୟ ପରିଚାଳନା ସକାଶେ ପଦକ୍ଷେପ ଗ୍ରହଣ କରାଯାଉ , ଏସ୍ଏନପି ବିଲ୍ ବାବଦକୁ ଜଏଣ୍ଟ ଆକାଉଣ୍ଟରେ ଦୀର୍ଘ ୬ ମାସର ଟଙ୍କା ନଥିବା କେନ୍ଦ୍ରଗୁଡିକୁ ଚିହ୍ନଟ କରି ବକେୟା ସହ ଅଗ୍ରୀମ ଟଙ୍କା ପ୍ରଦାନ କରାଯାଉ , କରଚୁଲି-୨ କେନ୍ଦ୍ରର ସହାୟିକାଙ୍କୁ ପୁନଃ ନିଯୁକ୍ତି ଦିଆଯାଉ , ସରକାରଙ୍କ ଚିଠି ପ୍ରକାରେ ପ୍ରତ୍ଯେକ କେନ୍ଦ୍ରକୁ ଗ୍ଯାସ୍ ସିଲିଣ୍ଡର ସହ ଚୂଲା ଯୋଗାଇ ଦିଆଯାଉ , କେନ୍ଦ୍ର କାର୍ଯ୍ୟ ତୁଲାଇବା ପାଇଁ ମୋବାଇଲରେ ନେଟ୍ ପ୍ଯାକ୍ ରିଚାର୍ଜ କରାଯାଉ ଆଦି ୬ଟି ଦାବି ରହିଥିଲା ।
ଏନେଇ ପୂର୍ବରୁ ଏପ୍ରିଲ ୨୫ ତାରିଖରେ ସଂଘ ପକ୍ଷରୁ ସମନ୍ବିତ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଚିଠି କରାଯାଇ ୨୭ ତାରିଖ ସୁଦ୍ଧା ଦାବିଗୁଡିକ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ୩୦ ତାରିଖରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରି ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା । ତେବେ ସଂଘର ସେହି ନିଷ୍ପତ୍ତି ପ୍ରକାରେ ଆଜି ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ସଭାନେତ୍ରୀ ବାସନ୍ତୀ କୁମାରୀ ପ୍ରଧାନ ଓ ସମ୍ପାଦିକା ଅନିତା କୁମାରୀ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଆସନ୍ତା ମେ ୫ ତାରିଖ ସୁଦ୍ଧା ଏ ସମସ୍ତ ଦାବି ସମ୍ପର୍କେ ବିଚାର କରାଯାଇ ସରକାରୀ ନିୟମ ଅନ ଅନୁଯାୟୀ ଉପରିସ୍ଥ ଅଧିକାରୀମାନଙ୍କ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିପିଓ ରଞ୍ଜିତା ତ୍ରିପାଠୀ ପ୍ରକାଶ କରିବା ପରେ ସଂଘ ବିକ୍ଷୋଭରୁ ହଟିଥିବା ଜଣାଯାଇଛି ।