ଜମନକିରା : ବୃଦ୍ଧ ହେଉ କିମ୍ବା ବୃଦ୍ଧା, ବିଧବା ହେଉ କିମ୍ବା ଛାଡପତ୍ନି ମାନେ ସଠିକ ସମୟରେ ଭତ୍ତା ପାଇବାର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ଅଛି। କିନ୍ତୁ କେତେକ ହିତାଧିକାରୀ ବର୍ଷ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳୁଛି l ଏମିତି ଘଟିଛି ଜମନକିରା ବ୍ଲକ କେନାଢ଼ିପା ପଞ୍ଚାୟତ ଭୋଇଡରା ଗ୍ରାମର ଜଣେ ବିଧବାଙ୍କ ପକ୍ଷରେ।
ସୂଚନା ଅନୁସାରେ, ଭଏଡେରା ଗ୍ରାମର ସତ୍ୟବତୀ ଶବର (୩୮) ଆଜିକୁ ୩ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ସତ୍ୟବତୀଙ୍କ ଏବେ ପରିବାର କହିଲେ ପୁଅ ଉତ୍ତମ (୭)। ହେଲେ ସ୍ୱାମୀ ଅଶୋକ ଶବର ବିଗତ ୩ବର୍ଷ ହେବ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦେହାନ୍ତ ହୋଇଥିବା ସତ୍ୟବତୀ ପ୍ରକାଶ କରିଛନ୍ତି। ଏବେ ୭ବର୍ଷର ପୁଅକୁ ନେଇ ସତ୍ୟବତୀ ବହୁକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସତ୍ୟବତୀଙ୍କୁ ପଞ୍ଚାୟତ ପକ୍ଷରୁ ରାସନ କାର୍ଡରେ କିଛି ଚାଉଳ ମିଳୁଛି ସତ କିନ୍ତୁ ପରିବାର ଚଳାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି। ସତ୍ୟବତୀଙ୍କ କୌଣସି ଜମିବାଡ଼ି ନଥିବାବେଳେ ସେ ଦିନ ମଜୁରିଆ ଖଟି ନିଜ ପୁଅର ପାଠ ପଢା, ପରିବାର ଗୁଜୁରାଣ ଏବଂ ଔଷଧ ପତ୍ର ବୁଝୁଥିବା କଥା କହିଛନ୍ତି। ସେ ଏତିକି କମ ଅର୍ଥରେ ସମସ୍ତ ଆବଶ୍ୟକତା ପୂରଣ କରିପାରୁନଥିବା କହିଛନ୍ତି l
ତାଙ୍କ କହିବା ଅନୁଯାଇ, ଯେହେତୁ ସେ ପାଠ ପଢି ନାହାନ୍ତି, ସେଥିପାଇଁ କାଗଜପତ୍ର ବିଷୟରେ କିଛି ଜାଣିନାହାନ୍ତି। ତଥାପି ସେ ୩ ବର୍ଷ ହେବ ଅନେକ ଥର ପଞ୍ଚାୟତକୁ ବାରମ୍ବାର ଯାଇ ବିଧବା ଭତ୍ତା ଟିଏ କରିଦେବା ପାଇଁ ଗୁହାରି କରିଥିଲେ ହେଁ, ଆଜି ପର୍ଯ୍ୟନ୍ତ ପଂଚାୟତ ଅଧିକାରୀ ତାଙ୍କ ଉପରେ ଦୃଷ୍ଟି ପକାଉନଥିବା ଅଭିଯୋଗ କରିଛନ୍ତି। ସେ କହନ୍ତି ଭତ୍ତା ଖଣ୍ଡିଏ ହୋଇଗଲେ ପୁଅର ପାଠ ପଢାରେ ପଇସା ଖର୍ଚ୍ଚ କରି ତାକୁ ଉଚ୍ଚ ଶିକ୍ଷିତ କରାଇପାରନ୍ତେ। ମାତ୍ର ତାହା ହୋଇ ପାରୁନାହିଁ। ଏହାକୁ ନେଇ ନୂତନ ସରପଞ୍ଚ କଲ୍ୟାଣୀ ନାଏକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ସେ କହନ୍ତି ମୁଁ ଏବେ ନୂତନ ଭାବେ ଥିବାରୁ ଜାଣିନଥିଲି ଏବେ ଜାଣିବାପରେ ତୁରନ୍ତ ତାର ସତ୍ୟତା ଦେଖି ସମାଧାନ କରାଯିବ ବୋଲି କହିଥିଲେ।