ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାର ଅଭିଯୁକ୍ତକୁ ସିଂହଦ୍ଵାର ଥାନା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତର ପରିଚୟ ହେଲା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧୀନ ନେଉଳି ଗ୍ରାମର ଜଗନ୍ ମହାପାତ୍ର(୩୦)। ସୂଚନା ଯୋଗ୍ୟ ଯେ ଗତ ରବିବାର ସକାଳେ ଶ୍ରୀମନ୍ଦିର ରୋଷ ଘରର ଖୋଲିବା ବେଳେ ପ୍ରାୟ ୪୦ ଉର୍ଦ୍ଧ ଚୁଲି କେହି ଦୁର୍ବୃତ ଭାଙ୍ଗି ଦେଇ ଥିବା ନେଇ ଜଣା ପଡି ଥିଲା। ତେବେ ଏହି ଅଭାବନୀୟ ଘଟଣା ଶନିବାର ରାତିରେ ଘଟି ଥିବା ଜଣା ପଡି ଥିଲା।
ଯାହାକୁ ନେଇ ସେବାୟତ ଏବଂ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଥିଲା। ଏହି ଖବର ଜଣା ପଡିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଘଟଣା ସମ୍ପର୍କରେ ସିଂହଦ୍ଵାର ଥାନାରେ ଏକ ଲିଖିତ ଏତଲା ଦାଏର କରାଯାଇଥିଲା।
ଶ୍ରୀମନ୍ଦିର ପ୍ରଶାସନ ଅଭିଯୋଗ କ୍ରମେ ପୋଲିସ ସିଂହ ଦ୍ୱାର ଥାନାରେ କେଶ ନମ୍ବର ୨୩/୨୦୨୨ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଥିଲା।
ଖବର ପାଇ ଜିଲ୍ଲାପାଳ ସମର୍ଥ କୁମାର ବର୍ମା ଏବଂ ଏସପି ଡକ୍ଟର କନୱାର ବିଶାଳ ସିଂ ଘଟଣା ସ୍ଥଳ ରୋଷ ଘରକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କରି ଥିଲେ।
ଅପର ପକ୍ଷରେ ଘଟଣାର ଆଭ୍ୟନ୍ତର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନପକ୍ଷରୁ ଏକ ପାଞ୍ଚ ଜଣିଆ କମିଟି ଗଠନ କରାଯାଇ ଥିଲା। ତେବେ ପ୍ରାରମ୍ଭିକ ତଦନ୍ତ ସମୟରେ ୨୪୨ ଗୋଟି ଚୁଲି ମଧ୍ୟରୁ ୪୩ ଗୋଟି ଚୁଲି ଭଙ୍ଗା ଯାଇ ଥିବା ଜଣା ପଡି ଥିଲା। ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଥିଲେ। ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇ ଥିଲେ। ପୋଲିସ ପକ୍ଷରୁ ସିସି ଟିଭି କ୍ୟାମେରାରେ କଏଦ ହୋଇ ଥିବା ଫୁଟେଜ ଯାଞ୍ଚ କରାଯାଇ ଥିଲା। ଯାଞ୍ଚ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତ ରୋଷ ଘରକୁ ଯିବା ଆସିବା କରିବା ଦେଖିବାକୁ ମିଳି ଥିଲା।
ଫଳରେ ପୋଲିସର ଅଭିଯୁକ୍ତ ଉପରେ ସନ୍ଦେହ ସୃଷ୍ଟି ହୋଇ ଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ ଓ ବାସେଲି ସାହି ଥାନା ଆଇଆଇସି କୁଳମଣି ସେଠୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଥିଲା। ସିସି ଟିଭି ଫୁଟେଜକୁ ଆଧାର କରି ପୋଲିସ ସହରର ବିଭିନ୍ନ ସ୍ଥାନ, ବସଷ୍ଟାଣ୍ଡ ରେଳ ଷ୍ଟେସନ ଆଦି ସ୍ଥାନରେ ଚ୍ଛାନଭିନ ଆରମ୍ଭ କରି ଥିଲା। ରେଳ ଷ୍ଟେସନରୁ ପୋଲିସକୁ ଅଭିଯୁକ୍ତର ସୁରାଗ ମିଳି ଥିଲା। ଉକ୍ତ ତଥ୍ୟ ଆଧାରରେ ପୋଲିସ ଗତକାଲି ଅଭିଯୁକ୍ତର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଠାରେ ଚଢ଼ାଉ କରି ଥିଲା।
ସେଠାରୁ ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଣି ପଚରା ଉଚରା କରି ଥିଲା। ପଚରା ଉଚରା ସମୟରେ ଅଭିଯୁକ୍ତ ପୋଲିସକୁ କହି ଥିଲା ସେ ଜଗନ୍ନାଥଙ୍କ ଜଣେ ଭକ୍ତ। ସେ ଶନିବାର ରାତିରେ ଶ୍ରୀମନ୍ଦିର ଦର୍ଶନ କରିବା ପାଇଁ ଆସିଥିଲା। ସେ ଆନନ୍ଦ ବଜାରକୁ ଯାଇ ଥିଲା। ସେଠାରେ ମହାପ୍ରଭୁଙ୍କ ମହାପ୍ରସାଦ ଏଣେ ତେଣେ ତଳେ ତଳେ ପଡି ଥିବାର ଦେଖିବାକୁ ପାଇ ଥିଲା। ଯାହା ଫଳରେ ତାର ମନରେ ରାଗ ସୃଷ୍ଟି ହୋଇ ଥିଲା। ସେ ସେଠାରୁ ରୋଷ ଘରକୁ ଯାଇ ଥିଲା। ସେଠାରେ ବହୁତ୍ ଗୁଡ଼ିଏ ଚୁଲି ଦେଖିବାକୁ ପାଇ ଥିଲା। ସେହି ପରି ରୋଷ ଘରେ ବ୍ୟାପକ ରୋଷ ସାମଗ୍ରୀ ଏଣେ ତେଣେ ତଳେ ପଡି ଥିବାର ଦେଖିବାକୁ ପାଇ ଥିଲା। ଯାହାକୁ ଦେଖି ତା ମନରେ ଗଭୀର କ୍ଷୋଭ ପ୍ରକାଶ ପାଇ ଥିଲା। ରୋଷେଇ ପାଇଁ ଏତେ ଚୁଲି କାହିଁକି ରହିଛି ବୋଲି ରାଗରେ ସେ ଚୁଲି ଗୁଡ଼ିକ ଭାଙ୍ଗି ଦେଇ ଥିଲା ପୋଲିସ ଆଗରେ କହିଛି। ଅପର ପକ୍ଷରେ ପୋଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିବାରୁ ପୋଲିସ ତାକୁ ଜେଲକୁ ପଠାଇ ଦେଇଛି।