ପୁରୀ: ରାଜ୍ୟର ବିଭିନ୍ନ ଦେବାଳୟରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି ପୁରୀ ଚନ୍ଦନପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ନିମାପଡା ଥାନା ପାଟପୁର ଗ୍ରାମର ପ୍ରଫୁଲ ମିଶ୍ର ଏବଂ ତାଙ୍କ ଧର୍ମ ପତ୍ନୀ । ଚନ୍ଦନପୁର ଥାନା ପୋଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି ।
ଗତ ଜାନୁଆରୀ ୯ ତାରିଖ ବିଳମ୍ୱିତ ରାତିରେ ଚନ୍ଦନପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ନୃସିଂହ ମନ୍ଦିରରୁ ୭୦ କେଜିର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟେରାମାନେ ଲୁଟି ନେଇଥିଲେ। ଆଉ ଏହାର କିଛି ଦିନ ନଯାଉଣୁ ପୁଣି ଥରେ ଜାନୁଆରୀ ୨୯ ତାରିଖ ବିଳମ୍ୱିତ ରାତିରେ ଗଡମୃଗଶୀରା ଗ୍ରାମର ବଟେଶ୍ୱର ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ୪୫ କେଜିର ଅଷ୍ଟଧାତୁ ମୂର୍ତ୍ତିକୁ ମଧ୍ୟ ଲୁଟେରା ମାନେ ଲୁଟି ନେଇଥିଲେ। ଏ ନେଇ ଗ୍ରାମବାସୀ ମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା। ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତର ଖବର ପ୍ରସାରଣ ହୋଇଥିଲା। ଯାହାକୁ ନେଇ ପୋଲିସ ବିଭାଗ ଅଡ଼ୁଆରେ ପଡ଼ିଥିଲା। ମୂର୍ତ୍ତି ଚୋରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା।
ଆଜି ଚନ୍ଦନପୁର ଥାନା ପୋଲିସ ଏହି ଦମ୍ପତ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।