ଗୋଲିଆ ପିଇଓଙ୍କୁ ଆକ୍ରମଣ ଘଟଣା , ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପିଇଓ ସଂଘର ପ୍ରତିବାଦ
ବୁଗୁଡ଼ା : ତା ୦୮/୦୩/୨୨ : ଗତ ଫେବୃୟାରୀ ୨୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ବିଚ୍ ରାସ୍ତାରେ ଗୋଲିଆ ପଞ୍ଚାୟତର ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ଦୁଇ ଜଣ ବ୍ଯକ୍ତି ପୂର୍ଣ୍ଣଚନ୍ଦ୍ର ଭୂୟାଁ ଓ ପ୍ରକାଶ ମହାରଥା ମରଣାନ୍ତକ ଆକ୍ରମଣ କରି ଖସି ଯାଉଥିବା ସହ ଅଦ୍ଯାବଧି ପୋଲିସ ହାତରେ ଧରା ପଡିନଥିବା ଘଟଣା ବୁଗୁଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଆଜି ବୁଗୁଡ଼ା ବ୍ଲକ ପିଇଓ ସଂଘ ପକ୍ଷରୁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ କଳାବ୍ଯାଚ୍ ପିନ୍ଧି ଏହାର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ଗତ ୩ ତାରିଖରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ରାଜ୍ୟ ସମ୍ପାଦକ କମଳ କାନ୍ତ ପଣ୍ଡା , ଜିଲ୍ଲା ସଭାପତି ବସନ୍ତ ସାହୁ ଓ ସମ୍ପାଦକ ରଞ୍ଜିତ କୁମାର ପଣ୍ଡା ପ୍ରମୁଖ ବିଡ଼ିଓଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ସଂପୃକ୍ତ ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ବୁଝିବା ସହ ବ୍ଲକର ସମସ୍ତ ପିଇଓଙ୍କ ସୁରକ୍ଷା ସମ୍ପର୍କେ ଆଲୋଚନା କରିଥିଲେ । ତା’ପର ଠାରୁ ଜିଲ୍ଲାର ସମସ୍ତ ବ୍ଲକରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇ ପ୍ରତିବାଦ ଚାଲୁ ରହିଥିବା ବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆଜି ବୁଗୁଡ଼ା ବ୍ଲକ ପିଇଓ ସଂଘ ସଭାପତି ବାଳକୃଷ୍ଣ ଜେନାଙ୍କ ନେତୃତ୍ଵରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପ୍ରକାଶ ଯୋଗ୍ୟ ଯେ , ଆକ୍ରମଣରେ ପିଇଓ ପ୍ରମୋଦଙ୍କ ମୁହଁ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା ଏବଂ ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ ପରେ କେସ୍ ନଂ ୧୧୯/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ତା’ପର ଦିନ ସକାଳେ ପ୍ରମୋଦଙ୍କ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ବର୍ତ୍ତମାନ ପିଇଓ ପ୍ରମୋଦ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଇଥିଲେ ହେଁ ଫେରାର ଅଭ�
: ଅଭିଯୁକ୍ତଙ୍କ ପକ୍ଷରୁ ପୁନର୍ବାର ଆକ୍ରମଣର ଭୟ ତାଙ୍କୁ ଘାରିଛି । ଅନ୍ୟପକ୍ଷରେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଖସି ପଳାଇ ଯାଇଥିବା ବେଳେ ପୋଲିସ ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି ।