କିଏଭ୍: ରବିବାର ଦିନ କିଏଭ୍ ନିକଟବର୍ତ୍ତୀ ଏକ ବିମାନ ବନ୍ଦରରେ ଯୁଦ୍ଧରତ ରୁଷୀୟ ସୈନିକମାନେ ବିଶ୍ବର ବୃହତ୍ତମ ବିମାନଟିକୁ ନଷ୍ଟ କରି ଦେଇଥିବା କଥା ୟୁକ୍ରେନ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି।
ଏଏନ୍-୨୨୫ ‘ମ୍ରିୟା’ (ୟୁକ୍ରେନ୍ ଭାଷାରେ ଏହାର ଅର୍ଥ ‘ସ୍ବପ୍ନ’) ନାମକ ଉକ୍ତ ବୃହଦ୍କାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନି ‘ଆଣ୍ଟୋନୋଭ୍’ ନିର୍ମାଣ କରିଥିଲା। ରୁଷୀୟ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍ ବାହାରେ ଥିବା ‘ହୋସ୍ତୋମେଲ୍ ବିମାନ ବନ୍ଦର’ରେ ବିଶ୍ବର ସର୍ବବୃହତ୍ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।
ବିଧ୍ବସ୍ତ ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍ର ସରକାରୀ ଟୁଇଟର୍ ହ୍ୟାଣ୍ଡଲ୍ରେ ଲେଖାଯାଇଛି: ବିଶ୍ବର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ବପ୍ନ) କିଏଭ୍ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ରୁଷୀୟ ସେନା ଧ୍ବଂସ କରିଛି। ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ। ଶକ୍ତିଶାଳୀ, ସ୍ବାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ।
ଟୁଇଟ୍ ସହ ୟୁକ୍ରେନୀୟ ହ୍ୟାଣ୍ଡଲ୍ ପରିଚୟୋକ୍ତି ସହ ଉକ୍ତ ବିମାନର ଫଟୋ ମଧ୍ୟ ପୋଷ୍ଟ୍ କରିଛି। ପରିଚୟୋକ୍ତିରେ ଲେଖା ଅଛି: ସେମାନେ ଆରମ ବୃହତ୍ତମ ବିମାନକୁ ପୋଡ଼ି ପକାଇଲେ କିନ୍ତୁ, ଆମ ‘ମ୍ରିୟା’ କଦାପି ନଷ୍ଟ ହେବନାହିଁ।
କିନ୍ତୁ, ‘ମ୍ରିୟା’ର ସାମ୍ପ୍ରତିକ ଅବସ୍ଥା ବିଷୟରେ ଆଣ୍ଟୋନୋଭ୍ ସୁନିଶ୍ଚିତ କରି କିଛି କହି ପାରିନାହାନ୍ତି। ଉକ୍ତ ବିମାନର ନିର୍ମାଣକାରୀ କମ୍ପାନି ଟୁଇଟ୍ କରି କହିଛି: ‘ଏଏନ୍-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଔପଚାରିକ ଘୋଷଣା ପର୍ଯ୍ୟନ୍ତ ପ୍ରତୀକ୍ଷା କରନ୍ତୁ।