Odisha news

ଦିନରେ ହେଉଛି ଜୋରଦାର୍ ପ୍ରଚାର : ରାତିରେ ଜମୁଛି ଭୋଜିର ଆସର

0

ବୁଗୁଡ଼ା : ତା ୧୦/୦୨/୨୨ : ବୁଗୁଡ଼ା ବ୍ଲକରେ ଦ୍ବିତୀୟ ପର୍ଯ୍ଯାୟରେ ଭୋଟ ଗ୍ରହଣ ବେଳ ଯେତିକି ପାଖେଇ ଆସୁଛି  ଗ୍ରାମାଞ୍ଚଳରେ ରାଜନୀତି ସେତିକି ଉଷ୍ଣତା ହେବାରେ ଲାଗିଛି । ତେବେ ପ୍ରାର୍ଥୀମାନେ ସେମାନଙ୍କ ଚିହ୍ନକୁ ପୋଷ୍ଟର ଓ ପୁସି” କାର୍ଡରେ ଛାପି ଏବେ  ଜୋର୍‌ଦାର ପ୍ରଚାର ଚଳାଇଛନ୍ତି । ଏପରିକି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ମୈଦାନକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ଛାମୁଆ ନେତା ।  ଅନ୍ୟପକ୍ଷରେ ଚଳିତଥର ପଞ୍ଚାୟତ ନିର୍ବାଚନର ଫଳାଫଳ ବିଭିନ୍ନ ଦଳର ନେତାଙ୍କ ଲାଗି ଅଗ୍ନି ପରୀକ୍ଷା । ସେଥିଲାଗି ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ନେତା। ଫଳରେ ସକାଳ ହେବା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଗାଁ ଦାଣ୍ଡରେ ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳୁଛି । ଏପରିକି ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭୋଟରଙ୍କୁ ହାତେଇବା ଲାଗି ମସୁଧା ଚଳାଇଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନରେ ୩ଟି ଜିଲ୍ଲା ପରିଷଦ ପଦବୀ ପାଇଁ ୯ ଜଣ , ୨୦ଟି ସରପଞ୍ଚ ପଦବୀ ପାଇଁ ୭୦ ଜଣ ଓ ୨୧ଟି ସମିତି ମେମ୍ବର ପଦବୀ ପାଇଁ ୫୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସିଧାସଳଖ ଦଳୀୟ ଟିକେଟରେ ଲଢ଼ୁଥିବା ବେଳେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ପରୋକ୍ଷରେ ଦଳୀୟ ସମର୍ଥନରେ ନିର୍ବାଚନ ଲଢ଼ୁଛନ୍ତି। ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି । ଫଳରେ ନିର୍ବାଚନ ପାଇଁ ସରଗରମ ରହିଛି ଗ୍ରାମାଞ୍ଚଳ ରାଜନୀତି । ପ୍ରଚାର ମୈଦାନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ଭିନ୍ନ ଭିନ୍ନ ଶୈଳୀରେ ଭୋଟରଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରଖୁଛନ୍ତି। ତେବେ ଗ୍ରାମାଞ୍ଚଳରେ ଦିନ ତମାମ ପ୍ରାର୍ଥୀଙ୍କ ପ୍ରଚାର କୋର୍‌ଦାର ରହିଥିବା ବେଳେ ସଞ୍ଜ ନଈଲେ ଗାଁ ଗହଳିରେ ଭୋଜି ଭାତର ଆସର ଚାଲୁଛି । ଭୋଟରଙ୍କୁ ମନାଇବା ଲାଗି ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କୁ ଭୋଜିଭାତରେ ଆପ୍ଯାୟିତ କରିବା ସହ ଅସନ୍ତୁଷ୍ଟ କର୍ମୀଙ୍କୁ ମନାଇବା ପାଇଁ ସମସ୍ତ ଦଳରେ ଭିତିରି ବୈଠକ ଜାରି ରହିଛି ।

Leave A Reply